Site icon ଆଜିକାଲି

ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି : ମିଶନ ଶକ୍ତି ସଚିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ସ୍ୱୟଂ ସହାୟିକା ଗୋଷ୍ଠୀ -ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏହି ସୂଚନା ଦେଇଛନ୍ତି । କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ, ଏହି ସ୍ୱତନ୍ତ୍ର ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ । ୩-୪ ମାସ ମଧ୍ୟରେ ଏହି ପାଣ୍ଠି କାର୍ଯ୍ୟକାରୀ ହେବ । ଏଥିପାଇଁ ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ବିଭାଗୀୟ ସଚିବ ସୁଜାତା କାର୍ତ୍ତିକେୟନ ଏହି ସୂଚନା ଦେଇଛନ୍ତି।

ଏସଏଚଜି ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ରାଜ୍ୟସ୍ତରୀୟ ଏସ ଏଚଜି ଫେଡେରେସନ ଗଠନ ହେବ । ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ ଫେଡେରେସନ କାମ କରିବ ବୋଲି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି।

ସେ କହିଛନ୍ତି ଯେ,୮ ବର୍ଷରେ ଏସଏଚଜିଙ୍କୁ ଋଣ ସହାୟତା ୧୯ ଗୁଣା ବୃଦ୍ଧି ହୋଇଛି । ଋଣ ସହାୟତା ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଏସଏଚଜି ଦ୍ଵାରା ଋଣ ପରିଶୋଧରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏସଏଚଜିଙ୍କ କ୍ଷେତ୍ରରେ ଅନାଦେୟ ଋଣ ମାତ୍ର ୧.୯୯% । ଏଥିଲାଗି କେନ୍ଦ୍ରଠାରୁ ପ୍ରଶଂସା ପାଇଛି ଓଡ଼ିଶା । ଓଡ଼ିଶାର ୮୬.୫% ମହିଳାଙ୍କ ପାଖରେ ରହିଛି ବ୍ୟାଙ୍କ ଖାତା । ଯାହାକି ଜାତୀୟ ହାର ୭୮.୬% ଠାରୁ ଢେର ଅଧିକ ।

ମିଶନ ଶକ୍ତି ବିଭାଗର ୪ଟି ବଡ଼ ସଫଳତା ବଖାଣିଛନ୍ତି ସଚିବ। ଆର୍ଥିକ ପରିଚାଳନା ୮ ବର୍ଷରେ ୧୯ ଗୁଣା ବୃଦ୍ଧି ପାଇଛି। ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି । ମହିଳା ସଂଗଠନ ଗୁଡିକୁ ସଶକ୍ତ କରାଯାଉଛି । ଭିତ୍ତିଭୂମି ଯୋଗାଇ ଦିଆଯାଉଛି, ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । କୋଭିଡ ସମୟରେ ମହିଳାମାନଙ୍କ ଉଲ୍ଲେଖନୀୟ କାମ ଯୋଗୁ ପ୍ରଶଂସା କରାଯାଇଛି। ୨ କୋଟି ଲୋକଙ୍କ ପାଇଁ ମିଲ ପ୍ରସ୍ତୁତ କରିବା ସହ ୭୫ ଲକ୍ଷ ମାସ୍କ ଦେଇଥିଲେ ଏସଏଚଜି ।

Exit mobile version