Site icon ଆଜିକାଲି

ଆଗାମୀ ଗ୍ରୀଷ୍ମଋତୁରେ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା

ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ୩୫ଟି ଗ୍ରାମୀଣ ଜଳଯୋଗାଣ ଓ ପରିମଳ ଡିଭିଜନକୁ ନେଇ ଏକ ରାଜ୍ୟସ୍ତରୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ରକ୍ଷଣାବେକ୍ଷଣ କର୍ମଶାଳା ତଥା ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ , ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ , ମୁଖ୍ୟଯନ୍ତ୍ରୀ , ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । ଆସନ୍ତା ୨୦୨୪ ଗ୍ରୀଷ୍ମଋତୁକୁ ଆଖି ଆଗରେ ରଖି ରାଜ୍ୟ ସରକାର ନଳକୂପ ଓ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ ଓ ବ୍ୟବହାରଯୋଗ୍ୟ ରଖିବା ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ।

ରାଜ୍ୟର ପ୍ରତିଟି ଗୃହରେ ପାନୀୟ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଅନୁଯାୟୀ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶତ ପ୍ରତିଶତ ନଳକୂପ ଓ ପାଇପ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ । ସେହିପରି ନିୟମିତ ରକ୍ଷଣାବେକ୍ଷଣକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯିବ । ଗ୍ରାମପଞ୍ଚାୟତଗୁଡ଼ିକର ଆବଶ୍ୟକତା ଏବଂ କନିଷ୍ଠ ଯନ୍ତ୍ରୀ / ସହକାରୀ ଯନ୍ତ୍ରୀଙ୍କ ପରାମର୍ଶ ଆଧାରରେ ଅର୍ଥ କମିଶନଙ୍କ ଅନୁଦାନକୁ ବ୍ୟବହାର କରି ପ୍ରତ୍ୟେକ ପଞ୍ଚାୟତ ସମିତିଗୁଡ଼ିକ ଯଥେଷ୍ଟ ପରିମାଣର ଯନ୍ତ୍ରାଂଶ , ରଙ୍ଗ , ରାଇଜର୍ ପାଇପ କ୍ରୟ କରିବେ । ପ୍ରତ୍ୟେକ ଶନିବାର ଦିନ ପଞ୍ଚାୟତ ସମିତିରେ ପାନୀୟ ଜଳଯୋଗାଣ ସ୍ଥିତିର ନିୟମିତ ସମୀକ୍ଷା ବୈଠକ କରାଯିବାକୁ ମାର୍ଗଦର୍ଶିକାରେ ନିର୍ଦ୍ଦେଶ ଦିଆଯାଇଛି । ଜଳଯୋଗାଣ ବୈଠକରୁ ଜଣାପଡ଼ିଛି ଯେ ଆଇଏସ୍ଏସ୍ ପୋର୍ଟାଲର ରିପୋର୍ଟ ଅନୁଯାୟୀ ରାଜ୍ୟର ୬୬ ପ୍ରତିଶତ ଗ୍ରାମୀଣ ଗୃହକୁ ଜଳଯୋଗାଣ ଟ୍ୟାପ୍ ସଂଯୋଗ ହୋଇଛି । ୯ ହଜାର ୬୭୧ ଗ୍ରାମରେ ଶତ ପ୍ରତିଶତ ଜଳଯୋଗାଣ ଟ୍ୟାପ୍ ସଂଯୋଗ ହୋଇସାରିଛି । କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗରେ ଅନ୍ତର୍ଭୁକ୍ତ ହେବାକୁ ଥିବା ମୋଟ ୪୭ ହଜାର ୨୭୪ଟି ଗ୍ରାମ ପାଇଁ ରାଜ୍ୟ ସରକାର ଏକ ପରିପୁଷ୍ଟ ଯୋଜନା ପ୍ରସ୍ତୁତ କରିଛନ୍ତି । ୩୧ , ୮୫୪ ( ୬୫ % ) ଟି ଗ୍ରାମରେ ମେଗା ପାଇପ୍ ଜଳଯୋଗାଣ ଏବଂ ୧୫ ହଜାର ୪୨୦ ( ୩୫ % ) ଗ୍ରାମ କ୍ଷୁଦ୍ର ଓ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଦ୍ଵାରା ସଂଯୁକ୍ତ ହୋଇଛନ୍ତି । ଏହା ବ୍ୟତୀତ ସମସ୍ତ ଗ୍ରାମ ପାଇଁ ୪ ଲକ୍ଷ ୭୯ ହଜାର ୬୬୪ଟି ନଳକୂପ ଉପଲବ୍ଧ ହେଉଛି । ୩୫ ହଜାର ୯୨୦ କୋଟି ଟଙ୍କା ବ୍ୟୟରେ ୨୦୭ଟି ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସେଥିମଧ୍ୟରୁ ଦୁଇଟି ଟେଣ୍ଡର ପ୍ରକ୍ରିୟାରେ , ୧୮୯ଟି ମେଗା ପ୍ରକଳ୍ପ କାର୍ଯ୍ୟାନ୍ଵୟନ ଅବସ୍ଥାରେ ଏବଂ ୧୬ଟି ମେଗା ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରାୟ ୨୦ଟି ମେଗା ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୧୮ ହଜାର କୋଟି ଟଙ୍କା ବ୍ୟୟରେ ୧୪ ହଜାର ୨୫୬ଟି ଏକକ ଗ୍ରାମ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖୁଛି । ରାଜ୍ୟରେ ୭୭ଟି ଜଳ ପରୀକ୍ଷାଗାର ରହିଛି । ପ୍ରତିବର୍ଷ ରାଜ୍ୟର ପରୀକ୍ଷାଗାରଗୁଡ଼ିକରେ ୨.୨୮ ଲକ୍ଷ ଉତ୍ସ ଏବଂ ବିତରଣ ପଏଣ୍ଟରୁ ଜଳ ନମୁନା ପରୀକ୍ଷା କରାଯାଉଛି । ରାଜ୍ୟର ୨୩ଟି ପରୀକ୍ଷାଗାରକୁ ଏନ୍‌ବିଏଲ୍‌ ସ୍ଵୀକୃତି ମିଳିଛି । ତିନୋଟି ପାଇଁ ଆବେଦନ କରାଯାଇଥିବାବେଳେ ୭ଟି ପରୀକ୍ଷାଗାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୩ – ୨୪ ଆର୍ଥିକ ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲା ପରୀକ୍ଷାଗାରଗୁଡ଼ିକ ପାଇଁ ଏନ୍‌ବିଏଲ୍ ସ୍ଵୀକୃତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୀକ୍ଷା ବୈଠକରେ ଗ୍ରାମଗୁଡ଼ିକରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗର ଅଗ୍ରଗତି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରିବାକୁ ଡିଭିଜନ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

Exit mobile version