Site icon ଆଜିକାଲି

୬ ପରେ ବଢ଼ିବ ଶୀତ; କୁହୁଡି ପାଇଁ ସତର୍କ ରହିବାକୁ ୮ ଜିଲାର ଜିଲାପାଳମାନଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ବର: ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ କରୁଥିବାରୁ ଗତ କିଛି ଦିନ ହେବ ଉଭୟ ସମତଳ ଓ ପାହାଡିଆ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକଠାରୁ ବୃଦ୍ଧି ପାଉଥିଲା। ଶୀତ ପ୍ରକୋପ କମିବା ଦ୍ବାରା ପୌଷ ମାସରେ ଲୋକେ ଗରମ ଅନୁଭୂତ କରୁଥିଲେ। ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବା ସହ ଶୀତ ପ୍ରକୋପ ବଢିବାର ସମ୍ଭାବନା ରହିଛି। ସାରା ରାଜ୍ୟ ଶୀତରେ ଥରିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ନୂଆବର୍ଷ ଆରମ୍ଭରେ ମଧ୍ୟ ରାଜ୍ୟରେ ଶୀତ ନାହିଁ । ଯେଉଁ ଭଳି ଭାବେ ଶୀତ ହେବା କଥା ତାହା ହେଉନାହିଁ । ରାଜ୍ୟର କିଛି ଜିଲାରେ ସାମାନ୍ୟ ଥଣ୍ଡା ପଡୁଥିବା ବେଳେ ଆସନ୍ତା ୨-୩ ଦିନ ପରେ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଣେ କୁହୁଡି ସତର୍କତା ଅବଲମ୍ବନ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ରାଜ୍ୟର ୮ଟି ଜିଲାର ଜିଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । ସକାଳୁ ଘନ କୁହୁଡ଼ି ବେଳେ ଦୁର୍ଘଟଣା ଏଡ଼ାଇବା ପାଇଁ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ । କୁହୁଡ଼ି ପାଇଁ ରାସ୍ତାରେ ଯାତାୟତ ସମୟରେ ସତର୍କତା ଅବଲମ୍ବନ କରାଯିବା ଉଚିତ । ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମୟରେ ଘନ କୁହୁଡ଼ି ଦେଖାଗଲେ ପୋଲିସ ଓ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଏସଆରସିଙ୍କ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି ।

Exit mobile version