Site icon ଆଜିକାଲି

ଆଜି ଶ୍ରୀଜୀଉଙ୍କ ବଣଭୋଜି ବେଶ

ପୁରୀ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରେ ପାରମ୍ପରିକ ରୀତିରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାର କଥାବସ୍ତୁ ଉପରେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନାନନ୍ଦ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ନବମୀ ଦିନ ନନ୍ଦଉତ୍ସବ ପରେ ଦଶମୀ ତିଥିରେ ପ୍ରଭୁ ଅନେକ ଲୀଳା କରିଥାନ୍ତି। ଆଜି ଭକ୍ତ ମାନଙ୍କୁ ବଣଭୋଜି ବେଶରେ ଦର୍ଶନ ଦେଇଥାନ୍ତି। ଲୀଳାମୟଙ୍କର ପ୍ରତ୍ୟେକ ଲୀଳାକୁ ଦର୍ଶନ କରିବା ପାଇଁ ଭକ୍ତ ବ୍ୟାକୁଳିତ ହୋଇଥାଏ। ଏହି ଲୀଳା ଶ୍ରୀମନ୍ଦିର ଭିତରେ ସୀମିତ ନରହି ପୁରୀର ବିଭିନ୍ନ ସାହି ବାସିନ୍ଦାଙ୍କ ସଂପୃକ୍ତିରେ ପ୍ରସାରିତ ହୋଇ ଗଣଚେତନା ସୃଷ୍ଟି କରିଥାଏ । ଶ୍ରୀମନ୍ଦିର ପାର୍ଶ୍ଵବର୍ତୀ ସମସ୍ତ ଯାଗା ଆଖଡା ଏହି ନୀତିରେ ସମ୍ପୃକ୍ତ ହୋଇଥାନ୍ତି।

ରତ୍ନସିଂହାସନରେ ମହାପ୍ରଭୁଙ୍କୁ ନିର୍ଦ୍ଦିଷ୍ଟ ଦିନମାନଙ୍କ ରେ ବିଭିନ୍ନ ବେଶରେ ସଜ୍ଜିତ କରାଗଲା ବେଳେ ନାଟମଣ୍ଡପରେ ଅଷ୍ଟମଲ୍ଲଙ୍କ ସହିତ ଯୁଦ୍ଧ ତଥା ନିଧନ ଦୃଶ୍ୟଗୁଡ଼ିକ ବିଭିନ୍ନ ସାହିର ପ୍ରତ୍ୟକ୍ଷ ସଂପୃକ୍ତିରେ ସମାହିତ ହୋଇଥାଏ । ସେହି ନ୍ୟାୟରେ ଭାଦ୍ରବ କୃଷ୍ଣ ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ଶ୍ରୀ ରାମକୃଷ୍ଣଙ୍କୁ ପାଲିଙ୍କିରେ ବିଜେ କରାଇ ବଡ଼ ଦାଣ୍ଡରେ ଲକ୍ଷ ଆଖଡ଼ା ବା ବଡ଼ଛତା ମଠ ସାମନା ରେ କାଠ ସିଂହାସନରେ ବିଜେ କରାଯାଏ । ସେଠାରେ କୋଳିବିକା ନୀତି ସଂପନ୍ନ ହୁଏ ।

Exit mobile version