ପୁରୀ : ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବାକୁ ମନ୍ଦିର ପ୍ରଶାସନ ଅନୁରୋଧ କରିଛି । ଏହି ପ୍ରସଙ୍ଗ ଉପରେ ଗତ ୯ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ଆଲୋଚନା କରାଯାଇ ପ୍ରସ୍ତାବ ଅନୁମୋଦନ କରାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତଗଣ ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରି ଆସିବା ବାଞ୍ଛନୀୟ । ଏଥିନିମନ୍ତେ ନିର୍ଦ୍ଦିଷ୍ଟ କୌଣସି ପୋଷାକ ତାଲିକା ଧାର୍ଯ୍ୟ କରାଯାଇ ନଥିଲେ ମଧ୍ୟ ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ , ଚୁଡିଦାର ପଞ୍ଜାବୀ , ଧୋତି ଆଦି ପାରଂପରିକ ପିନ୍ଧି ପାରିବେ ଏବଂ ମହିଳାମାନେ ଶାଢୀ , ସାଲୱାର କମିଜ ପରି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରିବେ, ଯାହା ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ସହ ଆଧ୍ୟାତ୍ମିକ ସମର୍ପଣର ମନୋଭାବ ସଞ୍ଚରଣ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଏ ନେଇ ଭକ୍ତମାନଙ୍କୁ ସଚେତନ କରିବାକୁ ସେବାୟତମାନଙ୍କୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ବିଶେଷକରି ବାହାରୁ ଆସୁଥିବା ଭକ୍ତମାନଙ୍କୁ ଏହି ମର୍ମରେ ପ୍ରଶିକ୍ଷିତ ଓ ସଚେତନ କରିବା ପାଇଁ ଅନୁରୋଧ କରାଯାଇଛି । ହାପ୍ ପ୍ୟାଣ୍ଟ , ଚିରାଫଟା ଜିନ୍ସ , ଅନାବଶ୍ୟକ ଶରୀର ପ୍ରଦର୍ଶନ କରୁଥିବା ପୋଷାକ ଓ ଧାର୍ମିକ ଭାବନାକୁ କୁଠାରଘାତ କରୁଥିବା କୌଣସି ବି ପୋଷାକ ବର୍ଜନୀୟ । ବର୍ତ୍ତମାନ ପାଇଁ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବା ସହ ଆସନ୍ତା ନବବର୍ଷ ଠାରୁ ଏହାକୁ କଡାକଡି ଭାବେ ଲାଗୁ କରାଯିବା ପାଇଁ ପଦକ୍ଷେପ ନିଆଯାଇପାରେ । ଏହି ପ୍ରସଙ୍ଗ ଉପରେ ସମସ୍ତଙ୍କର ସହଯୋଗ କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ।