Site icon ଆଜିକାଲି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆଜିଠୁ ତ୍ରିଦିନାତ୍ମକ ଯଜ୍ଞ ପାଇଁ ପ୍ରସ୍ତୁତି

ପୁରୀ – ଚଳିତମାସ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୌଷ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିର ଲୋକାର୍ପଣ ହେବ । ଲୋକାର୍ପଣ ପାଇଁ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହେଉଛି । ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ ପାଇଁ ଆଜି ଆଚାର୍ଯ୍ୟ ବରଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ କାର୍ଯ୍ୟସୂଚୀରେ ମୋହର ଲାଗିଛି । ଚୂଡାନ୍ତ ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ ଆଜି ଶୁକ୍ରବାର ପୌଷ ଶୁକ୍ଳ ଦ୍ଵିତୀୟାରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ଦ୍ୱାରା ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ଆଚାର୍ଯ୍ୟ ବରଣ ଏବଂ ସନ୍ଧ୍ୟା ସାଢ଼େ ୬ରୁ ରାତି ୮ଟା ମଧ୍ୟରେ ଅଙ୍କୁରାରୋପଣ ହେବ ।

୧୩ ତାରିଖ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ । ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ ।

୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ ।

୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ ।

୧୭ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ଦିନ ୧ଟା ୧୫ରୁ ୧ଟା ୩୦ ମିନିଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ । ଅପରାହ୍ନ ୧ଟା ୩୦ ମିନିଟରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋ’ର ବ୍ୟବସ୍ଥା କରାଯାଇଛି ।

Exit mobile version