Site icon ଆଜିକାଲି

ରାଜ୍ୟ ସରକାର ଆରମ୍ଭ କରିବେ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ ଗୁରୁଵାବର ବସିଥିଲା କ୍ୟାବିନେଟ ବୈଠକ । ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଅର୍ଥମନ୍ତ୍ରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି ।

ଓଡ଼ିଶାରେ ଜନଜାତି ସମ୍ପ୍ରଦାୟର ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବାକୁ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ସାଢେ ୧୪ ଲକ୍ଷ ଜନଜାତି ପରିବାରକୁ ଚାଷ ଏବଂ ଏ ସମ୍ପର୍କିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏଥିପାଇଁ ଆସନ୍ତା ଆର୍ଥିକ ବର୍ଷରୁ ୨୦୨୫-୨୬ ମଧ୍ୟରେ ୫୦୦ କୋଟି ବିନିଯୋଗ କରିବେ ସରକାର । ଜନଜାତି ହିତାଧିକାରୀଙ୍କ ଆୟ ବଢାଇବାକୁ ଉନ୍ନତମାନର ମଞ୍ଜି, ସାର ଓ ଜଳସେଚନ ସୁବିଧା ସୃଷ୍ଟି କରାଯିବ । ଏ ସଂପର୍କିତ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି ।

ରାଜ୍ୟରେ କଣ୍ଟ୍ରୋଲ ଡିଲର ମାନଙ୍କର ଲାଇସେନସକୁ ବର୍ଷେ ବୃଦ୍ଧି କରାଯାଇଛି । ଯେଉଁ ଡିଲରମାନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ , ସାଧାରଣ ବଣ୍ଟନ ବ୍ୟବସ୍ଥାର ପରିଚାଳନା ପାଇଁ ସେମାନଙ୍କ ଲାଇସେନ୍ସକୁ ଆସନ୍ତା ୨୦୨୪ ମାର୍ଚ୍ଚ ୨୪ ଯାଏଁ ବୃଦ୍ଧି ପାଇଁ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି।

ରାଜ୍ୟରେ ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଇବା ଏବଂ ଡିବିଟି ନଗଦ ବିହୀନ କାରବାର ଓ ଡିଜିଟାଲ ବ୍ୟୟ ବ୍ୟବସ୍ଥାର ବ୍ୟାପକ ପ୍ରଚାର ପ୍ରସାର ପାଇଁ କ୍ୟାଡର ପୁର୍ନଃଗଠନ କରାଯିବ । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଦେଇଛି ସବୁଜ ସଙ୍କେତ । ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି । ମାତ୍ର ଏ ଆଇନରେ ଅନେକ ତ୍ରୁଟି ଥିବାରୁ ସରକାର ନୂଆ ନିୟମ ପ୍ରଣୟନ କରିବେ , ପ୍ରସ୍ତାବିତ ଆଇନରେ ସମସ୍ତଙ୍କ ସ୍ବାର୍ଥକୁ ଗୁରୁତ୍ବ ମିଳିବା ସହ ଆପାର୍ଟମେଣ୍ଟ ମାଲିକଙ୍କ ସମ୍ପର୍କରେ ସ୍ପଷ୍ଟ ପ୍ରାବଧାନ ରହିବ ।

ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ଅଧିକାରୀ ଓ ସହାୟକ ନିଯୁକ୍ତି ନିୟମାବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିବା ଦ୍ବାରା ଏଣିକି ନୂଆ ବ୍ୟବସ୍ଥାରେ ପଦନ୍ନୋତି ମିଳିବ । ବାସଗୃହ ପ୍ରକଳ୍ପ ପାଇଁ ଲିଜ୍ ସୂତ୍ରରେ ଆବଣ୍ଟିତ ଜମି ଓ ପିପିଟି ମୋଡରେ ବିକଶିତ ପ୍ରକଳ୍ପ ସହ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ସପକ୍ଷରେ ଲିଜ୍ ହୋଇଥିବା ଜମିର ଫ୍ରି ହୋଲ୍ଡ ସ୍ଥିତିକୁ ରୂପାନ୍ତର କରାଯିବ ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ସରକାର ୩୧୪ଟି ଦ୍ବିତୀୟ ଶ୍ରେଣୀ ପଦବୀକୁ ଉଚ୍ଛେଦ କରିବେ । ୧୦୩ଟି ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପଦ ସୃଷ୍ଟି ହେବ ।ସେହିଭଳି ଓଡ଼ିଶା ସରକାରଙ୍କ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ ବା ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ । ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷଜମିକୁ ଅଣଚାଷ ଉଦ୍ଦେଶ୍ୟରେ କିସମ ପରିବର୍ତ୍ତନ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ଓଡ଼ିଶା ପଞ୍ଚାୟତିରାଜ ଯାନ୍ତ୍ରିକସେବା ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ । ପଞ୍ଚାୟତିରାଜ କ୍ୟାଡରର ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡକୁ ପଦନ୍ନୋତି ମିଳିବ । ଆହୁରି ସମବାୟ ସେବାରେ କାର୍ଯ୍ୟରତ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀକୁ ସଂଗଠିତ ଓ ପଦନ୍ମୋତିକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ସେବା ନିୟମରେ ସଂଶୋଧିତ କରାଯିବ ।

Exit mobile version