Site icon ଆଜିକାଲି

ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ଭୁବନେଶ୍ୱର ଠାରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ଶିକ୍ଷା ପରାମର୍ଶଦାତା ଉପେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶାରୀରିକ ଶିକ୍ଷାର ବୃହତ ପରିସର ତଥା ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ଵର ପୂର୍ଣ୍ଣାଙ୍ଗ ବିକାଶରେ ଶାରୀରିକ ଶିକ୍ଷାର ମହତ୍ତ୍ଵ ସଂପର୍କରେ ଆଲୋକପାତ କରିଥିଲେ ।

ଶ୍ରୀ ତ୍ରିପାଠୀ , ଓଡ଼ିଶା ସରକାର ବିଦ୍ୟାଳୟ ସ୍ତରରେ ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କଥା ପ୍ରକାଶ କରିବା ସହିତ ଅଧ୍ଵକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଉପସ୍ଥିତ ଶାରୀରିକ ଶିକ୍ଷକମାନଙ୍କୁ ଆହ୍ଵାନ ଦେଇଥିଲେ । ଅନ୍ୟପକ୍ଷରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା , ଓଡ଼ିଶାରେ ବିଦ୍ୟାଳୟ ରୂପାନ୍ତରଣ ଅବସରରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ଯୁଗ ଉପଯୋଗୀ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ନିଜର ମତ ରଖିବା ସହିତ ଉପସ୍ଥିତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ବିଦ୍ୟାଳୟ ସ୍ତରରେ ଅଧିକ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ଶ୍ରୀ ସାହା ଆସନ୍ତା ଦିନରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଲୁ ରହିବ ବୋଲି ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରୀୟ ରାଜସ୍ଵ ଜୋନର ୧୦ଗୋଟି ଜିଲ୍ଲାରୁ ଆସିଥିବା ୧୦୦ ଜଣ ପ୍ରଶିକ୍ଷାର୍ଥୀ ( ପିଇଟି ) ଭାଗ ନେଇଛନ୍ତି । ଚଳିତ ଖରାଛୁଟି ମଧ୍ୟରେ ୧୮୮୦ ଜଣ ପିଇଟି ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର କ୍ରୀଡା ଓ ଯୁବସେବା ବିଭାଗର ପ୍ରଶିକ୍ଷିତ ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ପ୍ରଦାନ କରୁଅଛନ୍ତି । ପରିଶେଷରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଭଗବାନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ ସରୋଜ ବେହେରା ଓ ଉପ – ନିର୍ଦ୍ଦେଶକ ମହେଶ୍ୱର ସାହୁ ପରିଚାଳନା କରିଥିଲେ ।

Exit mobile version