ସମ୍ବଲପୁର : ସମ୍ବଲପୁର ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତିରେ ୮୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଖବର ମିଳିଛି । ୧୦ ତାରିଖ ରାତିରେ ଖାଇ ସାରିବା ପରେ, କିଛି ପିଲାଙ୍କଠାରେ ବାନ୍ତି ଓ ଆଉ କିଛି ପିଲାଙ୍କର ହଠାତ ଝାଡ଼ା ହୋଇଥିଲା । ପ୍ରଥମେ ସ୍କୁଲର ନର୍ସଙ୍କ ପକ୍ଷରୁ ଅସୁସ୍ଥ ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ସହ ଔଷଧ ଦିଆଯାଇଥିଲା । ପରେ ଡାକ୍ତରୀ ଟିମକୁ ଡକା ଯାଇଥିଲା ବୋଲି ସ୍କୁଲ୍ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ସ୍କୁଲ ପରିସରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଖାଇବାକୁ ଦିଆଯିବା ପରେ ସଂଧ୍ୟା ସୁଦ୍ଧା ସମସ୍ତେ ସୁସ୍ଥ ଅନୁଭବ କରିଥିବା ସ୍କୁଲ ଅଧ୍ୟକ୍ଷ କହିଛନ୍ତି। ତେବେ, ଜଳ ସଂକ୍ରମଣ ନା ଖାଦ୍ୟ ସଂକ୍ରମଣ ପାଇଁ ଏପରି ହେଲା ତାହା ଜଣାପଡ଼ିନାହିଁ। ୭ ଜଣିଆ ଡାକ୍ତରୀ ଟିମ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ପିଲା ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।