Site icon ଆଜିକାଲି

ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା

ବାଲେଶ୍ୱର : ଲଘୁଚାପ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ଆସିଛି । ବର୍ଷା କମିଯାଇଥିଲେ ବି ବାଲେଶ୍ୱର ଜିଲାରେ ବନ୍ୟାର ବିଭୀଷିକା ଦେଖା ଦେଇଛି । ବାଲେଶ୍ୱର ଜିଲାରେ ପ୍ରବାହିତ ପ୍ରମୁଖ ୩ଟି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳେଶ୍ୱର ବ୍ଲକ ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା । ଏହାର ବିପଦ ସଂକେତ ୧୦.୩୬ ଥିବା ବେଳେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୧.୧ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ମଧ୍ୟରାତ୍ର ସୁଦ୍ଧା ୧୨.୧୦ ମିଟରରେ ପହଞ୍ଚିବ ବୋଲି ସେଣ୍ଟ୍ରାଲ ୱାଟର କମିଶନର ସୁବର୍ଣ୍ଣରେଖା ଶାଖା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଜଳକା ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗରେ ବନ୍ୟା ଜଳ ସତର୍କ ସୂଚନା ଉପରେ ବହୁଛି । ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଉଛି । ଜଳସ୍ତର ବଢ଼ୁଥିବାରୁ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଉଚ୍ଚାସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏନଡିଆରଏଫ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି। ଏହି ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟସରକାର ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ସ୍ୱତନ୍ତ୍ର ଭାବେ ଏସ୍‌ଆର୍‌ସି କ୍ଷମତା ପ୍ରଦାନ କରିବା ସହ ଆବଶ୍ୟକ ପଡ଼ିଲେ ଉଦ୍ଧାର ପାଇଁ ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଜିଲାପାଳ ଶ୍ରୀ ଶିନ୍ଦେ ରବିବାର ଭିଡ଼ିଓ କନ୍‌ଫାରେନ୍ସିଂ ମାଧ୍ୟମରେ ୪ଟି ବ୍ଲକ (ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର)ର ଜିଲାପରିଷଦ, ସମିତିସଭ୍ୟ, ସରପଞ୍ଚ, ୱାର୍ଡ଼ମେମ୍ବର ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ବନ୍ୟା ସମ୍ପର୍କିତ ଆଲୋଚନା କରିଛନ୍ତିି । ସୁବର୍ଣ୍ଣରେଖାରେ ୧୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେବାର ସୂଚନା ଦେଇ ଅଞ୍ଚଳବାସୀଙ୍କୁ ସଜାଗ ରହିବା, ବନ୍ୟାଞ୍ଚଳବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା, ସେମାନଙ୍କ ଖାଦ୍ୟ, ପାନୀୟଜଳ, ଔଷଧର ବ୍ୟବସ୍ଥା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଗତ ୨୦୦୮ ବର୍ଷରେ ୧୨.୬୯ ମିଟର ଜଳ ସୁବର୍ଣ୍ଣରେଖାରେ ଆସିଥିବା ବେଳେ ବନ୍ୟାରେ ବହୁ କ୍ଷତି ଘଟାଇଥିଲା । ତା’ ଠାରୁ ଏବେର ବନ୍ୟା ଅଧିକ ହେବ ବୋଲି ସୂଚାଇଥିଲେ ।

Exit mobile version