Site icon ଆଜିକାଲି

୮ଘଣ୍ଟା ଧରି ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ଅଛି : ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନୀତି ଉପରେ ଗୁରୁତ୍ବ ଦିଆଯାଉଛି । ଉପକୂଳ ଓଡିଶା ପରେ ଉତ୍ତର ଓଡିଶାରେ ବର୍ତ୍ତମାନ ବର୍ଷା ଜାରି ରହିଛି । ଏହି ସମୟରେ ୩ଟି ଜିଲାର ସ୍ଥିତି ପରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ । ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲାର ସ୍ଥିତି ଉପରେ ଆଲୋଚନା କରାଯାଉଛି । ବର୍ତ୍ତମାନ ବାଲେଶ୍ୱର ଜିଲାର ବସ୍ତା, ଭୋଗରାଇ, ବାଲିଆପାଳ ଉପରେ ଅଧିକ ପ୍ରଭାବିତ ହୋଇଛି । କିପରି ବନ୍ୟାସ୍ଥିତିକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ଏକ ସମୀକ୍ଷା ବୈଠକ କରାଯାଇଛି । ଏହି ବୈଠକରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ସ୍ଥିତିକୁ ନେଇ ଆଲୋଚନା କରାଯାଇଛି ।

ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ, ୮ଘଣ୍ଟା ଧରି ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ଅଛି । ଜଳସ୍ତର ବଢ଼ି ବନ୍ୟା ସ୍ଥିତି ଉପୁଜିଲେ ଜଳସମ୍ପଦ ବିଭାଗ ଏହାର ମୁକାବିଲା ଲାଗି ପ୍ରସ୍ତୁତ ରହିଛି । ବସ୍ତା, ବାଲିଆପାଳ ସମେତ ତଳି ଅଂଚଳରେ ପାଣି ପଶିଛି। ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ। କୌଣସି ସ୍ଥାନରେ ଘାଇ ହେଲେ ବାଲି ବସ୍ତା ପ୍ରସ୍ତୁତ ରହିଛି । ଅନ୍ୟ ନଦୀଗୁଡିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି । ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ ଥିବାରୁ ସମସ୍ତେ ସଜାଗ ରହିଛନ୍ତି । ନାଇଟ ପାଟ୍ରୋଲିଂ ମଧ୍ୟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଜଳ ସମ୍ପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Exit mobile version