Site icon ଆଜିକାଲି

ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ନିମ୍ନମାନର ହଷ୍ଟେଲ କାମ ଓ ଅର୍ଥ ହଡ଼ପ ମାମଲା : ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଗିରଫ

କଟକ : ସୋନପୁର ଜିଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ୧୦୦ ସିଟ୍ ବିଶିଷ୍ଟ ୪ଟି ହଷ୍ଟେଲ ନିର୍ମାଣ କାମରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ତାଙ୍କଠାରୁ ପାୱାର ଅଫ୍ ଅଟର୍ଣ୍ଣି ପାଇଥିବା ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅନୁସୂଚିତ ଜାତିର ସ୍କୁଲ ଛାତ୍ରଙ୍କ ପାଇଁ ୧୦୦ ସିଟ୍ ବିଶିଷ୍ଟ ୪ଟି ହଷ୍ଟେଲର ନିମ୍ନମାନର ନିର୍ମାଣ କାର୍ଯ୍ୟ ଓ ସରକାରୀ ଅର୍ଥ ହଡ଼ପ ହୋଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଏହା ପରେ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ଏହି ୪ଟି ଯାକ ହଷ୍ଟେଲକୁ ଯାଞ୍ଚ କରାଯାଇଥିଲା। ହଷ୍ଟେଲରେ ବହୁତ ସ୍ଥାନରେ ଫାଟ ସୃଷ୍ଟି ହେବା ସହ କାନ୍ଥ ଓ ଛାତରୁ ପାଣି ଲିକ୍‌ ଏବଂ ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହୋଇଛି ବୋଲି ବୈଷୟିକ ଟିମ୍ ଯାଞ୍ଚ ବେଳେ ଜାଣିପାରିଥିଲା । ଭଲ ବ୍ରାଣ୍ଡର ଇଲେକ୍ଟ୍ରି ବୋର୍ଡ, ସୁଇଚ୍ ସହିତ ସାନିଟାରୀ ଫିଟିଙ୍ଗସ ବ୍ୟବହାର କରିବାକୁ କୁହାଯାଇଥିଲେ ମଧ୍ୟ ତାହା କରାଯାଇନଥିଲା । ନିମ୍ନମାନର କାମ ଯୋଗୁଁ ସରକାରଙ୍କର ବହୁ କ୍ଷତି ହୋଇଥିବା ବେଳେ ଭିଜିଲାନ୍ସ ବିଜୟ ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଭିଜିଲାନ୍ସ ତଦନ୍ତ ଆରମ୍ଭ କରିବା ମାତ୍ରେ ବିଜୟ ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲ ବଲାଙ୍ଗିର ସ୍ଥିତ ସେମାନଙ୍କ ବାସଭବନରୁ ଫେରାର ହୋଇଯାଇଥିଲେ। କିନ୍ତୁ ସେମାନଙ୍କୁ ରାଉରକେଲାରୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍। ସେମାନଙ୍କୁ କଟକ ଅଣାଯାଇ ଅଧିକ ପଚରାଉଚରା କରାଯାଉଛି ।

Exit mobile version