Site icon ଆଜିକାଲି

ସବ୍‌ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ଆତ୍ମହତ୍ୟା

ବୌଦ୍ଧ : ବୌଦ୍ଧ ସ୍ଵତନ୍ତ୍ର ଉପ-କାରାଗାରରେ ଆତ୍ମହତ୍ୟା କଲେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ । ଜେଲ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କଏଦୀ ଜଣକ ଜମଘାଟି ଗାଁର ରବିନ୍ଦ୍ର ମେହେର । ପରିବାରର ଦୁଇ ଜଣଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ପାଇଥିଲେ ରବୀନ୍ଦ୍ର । ରବୀନ୍ଦ୍ର ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି ଜେଲ କର୍ତ୍ତୁପକ୍ଷଙ୍କ ସୂଚନା ।

ବୌଦ୍ଧ ଜିଲା ବାଉଁଶୁଁନୀ ଥାନା ଜମଘାଟି ଗାଁର ରବିନ୍ଦ୍ର ମେହେର ୨୦୧୫ ମସିହାରେ ନିଜ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଏହାପରଠାରୁ ସେ ବୌଦ୍ଧ ଜେଲକୁ ଆସିଥିଲେ । ପରେ ତାଙ୍କୁ ୨୦୧୮ ମସିହାରେ ବୌଦ୍ଧ ଜିଲ୍ଲା କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।
ଶନିବାର ରାତିରେ ରବିନ୍ଦ୍ର ଖାଦ୍ୟ ଖାଇ ସାରି ଶୌଚାଳୟକୁ ଯାଇଥିଲେ । ଏହାର କିଛି ସମୟ ପରେ ଅନ୍ୟ କଏଦୀ ତାଙ୍କୁ ବେକରେ ଗାମୁଛା ଲଗାଇ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଜେଲ୍‌ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସୂଚନା ଯେ, ରବୀନ୍ଦ୍ର ଜଣେ ମାନସିକ ରୋଗୀ ଏବଂ ସେ ୨୦୧୭ ମସିହାରୁ ଚିକିତ୍ସିତ ହେଉଛନ୍ତି ବୋଲି ଜେଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହାସହ ୨୦୧୭ରେ ପ୍ରଥମେ ସମ୍ବଲପୁର ଜେଲକୁ ପଠାଯାଇ ସେଠାରେ ବୁର୍ଲାରେ ତାଙ୍କୁ ଚିକିତ୍ସିତ କରାଯାଉଥିଲା । ପରେ ତାଙ୍କୁ ୨୦୧୯ରେ ଅଧିକ ଚିକିତ୍ସା ପାଇଁ କଟକ ଚୌଦ୍ଵାର ଜେଲକୁ ପଠାଯାଇଥିଲା । ପରିବାର ବର୍ଗ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Exit mobile version