Site icon ଆଜିକାଲି

ଗ୍ରୀଷ୍ମ ପ୍ରବାହ ମୁକାବିଲା ବୈଠକ: ଅଂଶୁଘାତଜନିତ ମୃତ୍ୟୁ ରୋକିବା ପାଇଁ ସଚେତନତା ଉପରେ ଗୁରୁତ୍ବ, ଶ୍ରମିକଙ୍କ କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭିନ୍ନ ବିଭାଗମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ସ୍ଵତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ , ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଅଂଶୁଘାତଜନିତ ମୃତ୍ୟୁକୁ ରୋକିବା ପାଇଁ ଜନସାଧାରଣମାନେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ପଦକ୍ଷେପମାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର , ବସ୍‌ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏତଦ୍‌ବ୍ୟତୀତ ଜଳକ୍ଳିଷ୍ଟ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ନଳକୂପ ଏବଂ ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନରକ୍ଷକ ଔଷଧ , ସାଲାଇନ୍ ଓ ଓଆର୍‌ଏସ୍ ମହଜୁଦ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତରେ ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ଵତନ୍ତ୍ର ବେଡ୍‌ର ବ୍ୟବସ୍ଥା କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକର ଯାତାୟତ ସମୟ ନିର୍ଘଣ୍ଟରେ ପରିବର୍ତ୍ତନପୂର୍ବକ ଖରାବେଳେ ଯାତ୍ରୀବାହୀ ଯାନ ଚଳାଚଳ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପ୍ରତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖୁବା ପାଇଁ ନିଷ୍ପଭି ନେଇଛନ୍ତି । ଶ୍ରମିକମାନଙ୍କର କାର୍ଯ୍ୟ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧୂକ ଉତ୍ତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍‌ବ୍ୟତୀତ କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ଥଣ୍ଡା ପାନୀୟ ଜଳ ଏବଂ ଓଆର୍‌ଏସ୍ ପ୍ୟାକେଟ୍ ମହଜୁଦ ରଖୁବା ପାଇଁ ସଂପୃକ୍ତ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ଵତନ୍ତ୍ର ଜଳପୂର୍ଣ୍ଣ ପାତ୍ର | କୁଣ୍ଡର ବ୍ୟବସ୍ଥା ନିମନ୍ତେ ସଂପୃକ୍ତ ବିଭାଗମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର କୌଣସି ଅଞ୍ଚଳରୁ ଅଂଶୁଘାତଜନିତ ମୃତ୍ୟୁର ଅଭିଯୋଗ ଆସିଲେ ଏହାର ଯୁଗ୍ମ ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଲେ ତାହା ଜିଲ୍ଲା ପ୍ରଶାସନ ସ୍ତରରେ ତୁରନ୍ତ ତଦନ୍ତ କରାଯାଇ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ୫୦ , ୦୦୦ ଟଙ୍କା ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖ୍ ଏହାର ନିରାକରଣ ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଯୋଜନା ପ୍ରସ୍ତୁତ କରାଯାଇଛି । ଜନସାଧାରଣଙ୍କ ସଚେତନତା ପାଇଁ ଗ୍ରୀଷ୍ମ ପ୍ରବାହ ଜନିତ ସୁରକ୍ଷା ସମ୍ବନ୍ଧୀୟ ପୋଷ୍ଟରମାନ ପ୍ରସ୍ତୁତ କରାଯାଇ ଜିଲ୍ଲା ସ୍ତରରେ ବଣ୍ଟନ କରାଯାଉଛି । ଏହା ବ୍ୟତୀତ ଚଳିତ ବର୍ଷ ବିଭିନ୍ନ ଇଲେକ୍ଟ୍ରୋନିକ ଗଣମାଧ୍ୟମ ଓ ସମ୍ବାଦପତ୍ର ମାଧ୍ୟମରେ ଗ୍ରୀଷ୍ମପ୍ରବାହରୁ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଲୋକମାନଙ୍କ ନିକଟରେ ପହଞ୍ଚାଇବାର କାର୍ଯ୍ୟକ୍ରମ କରାଯାଉଛି । ଏତଦ୍‌ବ୍ୟତୀତ ଆଗାମୀ ଦିନରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲାପାଳ ଏବଂ ବିଭାଗମାନଙ୍କୁ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version