Site icon ଆଜିକାଲି

ଗ୍ରୀଷ୍ମ ପ୍ରବାହ : ଆଜିଠୁ ୧୬ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ସମସ୍ତ ସ୍କୁଲ ଆସନ୍ତା ଏପ୍ରିଲ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ମଙ୍ଗଳବାର ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା ବେଳେ ରାଜ୍ୟ ସରକାର ଆଜିଠାରୁ ୫ ଦିନ ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି । ଜାପାନ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିବାରୁ ଏହି ଘୋଷଣା କରାଯାଇଛି ।

ଏପ୍ରିଲ ୧୩ରୁ ୧୫ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏମିତିକି ୧୫ ତାରିଖରେ ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରୀ ଡେଇଁବା ଅନୁମାନ କରିଛି । ଏଣେ ପାଣିପାଗ ବିଭାଗ ଚେତାବନୀ ଦେଲାଣି ଯେ, ଆସନ୍ତା ୪ଦିନ ଆକାଶରୁ ନିଆଁ ଝୁଲ ଖସିବ । ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିଯିବ । ଅର୍ଥାତ୍ ତାପମାତ୍ରା ୪୪ ଡିଗ୍ରୀ ଡେଇଁପାରେ । ୧୩ରୁ ୧୫ ଯାଏଁ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ୧୩ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ୧୪ରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରକୁ ବି ସମାନ ୱାର୍ଣ୍ଣିଂ ଦିଆଯାଇଛି । ୧୫ରେ ଝାରସୁଗୁଡ଼ାର ତାପମାତ୍ରା ୪୪ଡିଗ୍ରୀ ଛୁଇଁବା ପୂର୍ବାନୁମାନ କରାଯାଇଥିବାବେଳେ ସୁନ୍ଦରଗଡ଼, ବାରିପଦା, ବୌଦ୍ଧ ଓ ବଲାଙ୍ଗିରରେ ୪୩ ଓ ଅନୁଗୁଳ, ସମ୍ବଲପୁର, ଭବାନୀପାଟଣାରେ ୪୨ ଏବଂ ଭୁବନେଶ୍ୱର, କଟକ, ଭଦ୍ରକ ଓ କେନ୍ଦୁଝରରେ ତାତି ୪୧ ଡିଗ୍ରୀ ପାର କରିପାରେ । ଦିନ ୧୧ଟାରୁ ୩ଟା ଯାଏଁ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

Exit mobile version