Site icon ଆଜିକାଲି

କେନ୍ଦ୍ରର ବିଳମ୍ବ ଯୋଗୁଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବଦଳି ସୁପାରିସ ଫେରାଇ ନେଲା କଲେଜିୟମ

ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିସକୁ ପ୍ରତ୍ୟାହାର କରି ନେଇଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ସୁପାରିସ ଉପରେ କେନ୍ଦ୍ର ସରକାର ୬ ମାସ ଧରି କୌଣସି ନିଷ୍ପତ୍ତି ନ ଜଣାଇବାରୁ କଲେଜିୟମ ଏହି ନିଷ୍ପତ୍ତି ନେଇଛନ୍ତି । ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ୍ ଏପ୍ରିଲ ୧୯ରେ ଏହି ସୁପାରିସ ଫେରାଇ ନେଇଥିଲେ |

ସେପ୍ଟେମ୍ବର ୨୮, ୨୦୨୨ରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଏସ୍ ମୁରଲିଧରଙ୍କୁ ଓଡ଼ିଶା ହାଇକୋର୍ଟରୁ ମାଡ୍ରାସ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ସ୍ଥାନାନ୍ତର କରିବାକୁ ସୁପାରିସ କରିଥିଲେ। ଜଷ୍ଟିସ ମୁରଲୀଧରଙ୍କ ବଦଳି ସମ୍ପର୍କରେ ୬ ମାସ ଧରି କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନଥିଲେ । ଏହି ସମୟରେ ଜଷ୍ଟିସ ପଙ୍କଜ ମିତଲଙ୍କୁ ରାଜସ୍ଥାନକୁ ବଦଳି ପାଇଁ ଅନୁମୋଦନ କରାଯାଇଥିଲା। ଏହା ସହିତ କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଅଲି ମହମ୍ମଦ ମାଗନେଙ୍କୁ ଜମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତିକୁ ମଧ୍ୟ ଅନୁମୋଦନ କରିଥିଲେ କେନ୍ଦ୍ର ସରକାର।

ଜଷ୍ଟିସ୍ ମୁରଲୀଧର ଅଗଷ୍ଟ ୭, ୨୦୨୩ରେ ଅବସର ନେଉଛନ୍ତି। ତାଙ୍କ ଅବସର ପାଇଁ ଆଉ ୪ ମାସରୁ କମ୍ ସମୟ ଥିବାରୁ କଲେଜିୟମ ତାଙ୍କ ଟ୍ରାନ୍ସଫର ସମ୍ପର୍କିତ ସୁପାରିସ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା ।

ଲିଗାଲ୍ ନ୍ୟୁଜ୍ ୱେବସାଇଟ୍ ‘ବାର୍ ଏଣ୍ଡ ବେଞ୍ଚ’ର ଏକ ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ଏସ୍ ମୁରଲିଧର ଚେନ୍ନାଇରେ ୧୯୮୪ ମସିହାରୁ ଓକିଲାତି ଅଭ୍ୟାସ ଆରମ୍ଭ କରିଥିଲେ। ୨୦୦୬ ମସିହାରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ୨୦୦୯ରେ ନାଜ ଫାଉଣ୍ଡେସନ ମାମଲାରେ ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ କରି ରାୟ ଦେଇଥିବା ଖଣ୍ଡପୀଠର ସେ ସଦସ୍ୟ ଥିଲେ । ଏହାଛଡ଼ା ହାସିମପୁରା ଗଣହତ୍ୟା ମାମଲାରେ ପିଏସି ଯବାନ ଏବଂ ଶିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଖଣ୍ଡପୀଠର ଅଧ୍ୟକ୍ଷତା କରିଥିଲେ ଜଷ୍ଟିସ ଏସ୍ ମୁରଲିଧର।

ମାର୍ଚ୍ଚ ୬, ୨୦୨୦ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ ମୁରଲୀଧରଙ୍କ ବଦଳି ଚର୍ଚ୍ଚାର ବିଷୟ ପାଲଟିଥିଲା । ଦିଲ୍ଲୀ ଦଙ୍ଗା ସମୟରେ ଉତ୍ତେଜନାମୂଳକ ଭାଷଣ ପାଇଁ ବିଜେପିର ବରିଷ୍ଠ ନେତା ଅନୁରାଗ ଠାକୁର, ପ୍ରଭେଶ ଧର୍ମେନ୍ଦ୍ର ଏବଂ କପିଳ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ ଦଙ୍ଗା ମାମଲାର ସେ ଜରୁରୀ ଶୁଣାଣି କରୁଥିବା ବେଳେ ଅଚାନକ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିଲା ।

ଦଙ୍ଗାରେ ଭୂମିକା ପାଇଁ ଜଷ୍ଟିସ ମୁରଲୀଧର ଦିଲ୍ଲୀ ପୋଲିସକୁ ମଧ୍ୟ ଭର୍ତ୍ସନା କରିଥିଲେ। ପରଦିନ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଜଷ୍ଟିସ ଏସ ମୁରଲିଧରଙ୍କ ବଦଳି ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଜାନୁଆରୀ ୪, ୨୦୨୧ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି କରାଯାଇଥିଲା।

Exit mobile version