Site icon ଆଜିକାଲି

ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା ସମ୍ପର୍କିତ ଆଲୋଚନା ଚକ୍ର

ଭୁବନେଶ୍ୱର: ଓଡ଼ିଆ ଭାଷା ହେଉଛି ସର୍ବପ୍ରାଚୀନ ଭାଷା । ଆମ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଆଜି ସାରା ବିଶ୍ଵରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ଭାଷାର ସୁରକ୍ଷା ପାଇଁ ସୂଚନା ପ୍ରଯୁକ୍ତିର ଉପଯୋଗୀ ବ୍ୟବହାର ନିତାନ୍ତ ଆବଶ୍ୟକ । ଏଥି ସହ ବିଭିନ୍ନ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଓଡ଼ିଆ ଭାଷାକୁ କିପରି ବିଶ୍ୱସ୍ତରରେ ପହଞ୍ଚାଇ ହେବ, ସେନେଇ ଅଧ‌ିକ ଗବେଷଣା ଜରୁରୀ ବୋଲି ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ –୨୦୨୪ ଅବସରରେ ଆୟୋଜିତ ‘ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା : ସୁଯୋଗ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାରେ ଅତିଥିମାନେ ମତପ୍ରକାଶ କରିଛନ୍ତି ।

ବିଶିଷ୍ଟ ପ୍ରଯୁକ୍ତି ବିଶେଷଜ୍ଞ ସେନ୍ଥୀଲ ଶଙ୍କରସୁବ୍ରମନିୟନ ଆଲୋଚନାରେ ଅଧ୍ୟକ୍ଷତା କରିବା ସହ ସାରଳା ଦାସଙ୍କ ଉଦାହରଣ ଦେଇ କହିଲେ ଯେ, ଓଡ଼ିଆ ଭାଷାର ଗୌରବ ଏହାର ସଂରକ୍ଷଣରେ ନିହିତ ଅଛି । ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରସାର ଦିଗରେ ନେଉଥ‌ିବା ବିଭିନ୍ନ ପଦକ୍ଷେପର ସେ ପ୍ରଶଂସା କରିଥିଲେ । ଏହି ଆଲୋଚନାରେ ଯୋଗଦେଇ ଆଇଏସ୍‌ର ମୁଖ୍ୟ ଭାବେ କାର୍ଯ୍ୟରତ ରେଖା ଆଚାର୍ଯ୍ୟ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ‘ ଏଆଇ’ର ଯୁଗ । ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଖୁବ୍ କମ୍ ସମୟରେ ଓଡ଼ିଆ ଭାଷାକୁ ଇଂରାଜୀ ତଥା ଅନ୍ୟ ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରାଯାଇପାରୁଛି । ଓଡ଼ିଆରେ ତଥ୍ୟ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ପାଇଁ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗର ଆବଶ୍ୟକତା ରହିଛି । ଆଗାମୀ କିଛି ବର୍ଷ ମଧ୍ୟରେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ଓଡ଼ିଆ ଭାଷା ସୂଚନା ପ୍ରଯୁକ୍ତିର ଭାଷା ହୋଇପାରିବ ବୋଲି ସେ କରିଥିଲେ । ସେହିପରି ଏଆଇ/ଏମ୍ଏଲ, ରିଲାଏନ୍ସ ଜିଓ ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ଡାଟା ବୈଜ୍ଞାନିକ ଭାବେ କାର୍ଯ୍ୟରତ ଡକ୍ଟର ଶୈଳେନ୍ଦ୍ର କୁମାର ଭାଷାକୁ ଷଷ୍ଠ ଇନ୍ଦ୍ରିୟ ଭାବରେ ଅଭିହିତ କରିବା ସହ ଭାଷାର କ୍ରମବିକାଶ ବିଷୟରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତାର ପରିଭାଷା ବଦଳିବା ସହିତ ଆଗାମୀ ଦିନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ହେବ ଏବଂ ଓଡ଼ିଆ ଭାଷା ସୂଚନା ପ୍ରଯୁକ୍ତିକୁ ବ୍ୟବହାର କରି ଶୀର୍ଷ ସ୍ତରରେ ପହଞ୍ଚିବ ।

କେପିଏମ୍ଜି ଇଣ୍ଡିଆର ସହଭାଗୀ ବିଜେନ୍ଦ୍ର କୁମାର କହିଲେ ଯେ ଭାରତରେ ମାତ୍ର ୧୦ ପ୍ରତିଶତ ଲୋକ ଇଂରାଜୀ ଭାଷାରେ ଯୋଗାଯୋଗ କ୍ଷମତା ରଖୁଥିବାରୁ ଓଡ଼ିଆ ଭାଷାରେ ଜ୍ଞାନ ଆହରଣରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରୁଛି । ଇଂରାଜୀ ଭାଷାରେ ଅଧିକ ନିର୍ଭରଶୀଳ ଓଡ଼ିଆ ଭାଷାକୁ ପ୍ରଭାବିତ କରୁଛି । ତେଣୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆଞ୍ଚଳିକ ଭାଷାକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ସେ କହିଥିଲେ । ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିର ସହ ପ୍ରତିଷ୍ଠାତା ବିବେକାନନ୍ଦ ପାଣି କହିଲେ ଯେ ଅନଲାଇନ୍ ଦୁନିଆରେ କ୍ରମାଗତ ଭାବେ ଭାଷାର ବ୍ୟବଧାନ ପରିଲକ୍ଷିତ ହେଉଛି । ଏଥିସହିତ ଇଣ୍ଟରନେଟ୍‌ରେ ଓଡ଼ିଆ ତଥ୍ୟର ଅନୁପସ୍ଥିତି ପରିଲକ୍ଷିତ ହେଉଛି । ତେଣୁ ଓଡ଼ିଆ ଭାଷାର ବିକାଶ ପାଇଁ ଏହାର ନିରାକରଣ ଆବଶ୍ୟକ ବୋଲି ସେ କହିଥିଲେ । ଆଲୋଚନାରେ ଅରବିନ୍ଦ ପାଣି ଓଡ଼ିଆ ଭାଷାର ବିକାଶ ପାଇଁ ମାନସିକ ପ୍ରସ୍ତୁତି ଏବଂ ଭାଷା ପ୍ରତି ଆନ୍ତରିକତା ଜରୁରୀ ବୋଲି କହିଥିଲେ । ଛାତ୍ର ବକ୍ତା ଭାବେ ଋତିକ କୁମାର ପଣ୍ଡା ଓଡ଼ିଆ ଭାଷାର ବିକାଶ ପାଇଁ ସୂଚନା ପ୍ରଯୁକ୍ତି ବ୍ୟବହାରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଯୋଗଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ସିଇଓ, ଓକାକ୍ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Exit mobile version