Site icon ଆଜିକାଲି

ଟି-୨୦ ବିଶ୍ୱକପ୍‌: ନେଦରଲାଣ୍ଡସକୁ ହରାଇ ଗ୍ରୁପ୍-୨ ଶୀର୍ଷରେ ଭାରତ


ସିଡନୀ: ଭାରତ ଟି-୨୦ ବିଶ୍ୱକପ୍‌ରେ ଜୟଯାତ୍ରା ଜାରି ରଖି ଗୁରୁବାର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଭରତ ନିର୍ଦ୍ଧାରିତ ୨୦ ଓଭରରେ ଦୁଇ ଓ୍ବିକେଟ୍ ହରାଇ ୧୭୯ ରନ୍ କରିଥିଲା। ପାକିସ୍ତାନ ବିପକ୍ଷ ବିଜୟର ନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ପୁଣି ଗର୍ଜିଥିଲା । ସେ ଟୁର୍ଣ୍ଣାମେଣ୍ଟର କ୍ରମାଗତ ଦ୍ବିତୀୟ ଅର୍ଦ୍ଧଶତକ ପୂର୍ବକ ୪୪ ବଲରେ ୩ ଟି ଚୌକା ଓ ୨ଟି ଚକା ସହ ଅପରାଜିତ ୬୨ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାର ୭ଟି ଚୌକା ଓ ଗୋଟିଏ ଛକା ସହ ମାତ୍ର ୨୫ ବଲରେ ଚିତ୍ତାକର୍ଷକ ୫୧ ରନ୍ କରି ଅପରାଜିତ ରହିଥିଲେ । କେଏଲ୍ ରାହୁଲ (୯) ପୁଣି ଫେଲ୍ ମାରିଥିବା ବେଳେ କ୍ୟାପଟେନ ରୋହିତ ଶର୍ମା ୩୯ ବଲରେ ୪ଟି ଚୌକା ଓ ୩ଟି ଚକା ସହ ରନ ୫୩ ରନ୍ କରିଥିଲେ । ନେଦରଲାଣ୍ଡସ୍ ତରଫରୁ ଫ୍ରେଡ କ୍ଲାସେନ୍ ଏବଂ ପଲ୍ ଭନ୍ ମେକର୍ନ ଗୋଟିଏ ଲେଖାଏଁ ୱିକେଟ୍ ୱିକେଟ୍ ନେଇଥିଲେ।

ଭାରତ ପ୍ରଦତ୍ତ ୧୮୦ ରନର ବିଜୟ ଲକ୍ଷ୍ୟ ଜବାବରେ ନେଦରଲାଣ୍ଡସ୍ ଦଳ ୨୦ ଓଭରରେ ୯ ଓ୍ବିକେଟ୍ ହରାଇ କେବଳ ୧୨୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ତରଫରୁ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଅକ୍ଷର ପଟେଲ ଏବଂ ଅଶ୍ୱିନ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ମହମ୍ମଦ ଶାମି ଗୋଟିଏ ଓ୍ବିକେଟ୍ ହାସଲ କରିଥିଲେ । ସୂର୍ଯ୍ୟକୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଦୁଇଟି ବିଜୟରୁ ଭାରତୀୟ ଦଳ ୪ ପଏଣ୍ଟ ସହ ଗ୍ରୁପ୍-୨ରେ ଶୀର୍ଷରେ ପହଞ୍ଚିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଏହି ମ୍ୟାଚ୍ ପର୍ଥରେ ଖେଳାଯିବ ।

Exit mobile version