Site icon ଆଜିକାଲି

ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ରୁ ଫୁଟ୍‌ବଲ ପ୍ରଶିକ୍ଷଣ ନେଇ ପଞ୍ଜାବ ଯାତ୍ରା କରିଛନ୍ତି ଆଶିଷ ପୂର୍ତ୍ତି

କେନ୍ଦୁଝର, (ବ୍ରଜକିଶୋର ରାୟ) କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ୧୫ ବର୍ଷୀୟ ଯୁବକ ଆଶିଷ ପୂର୍ତ୍ତିଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି, ଫୁଟ୍‌ବଲ ତାଙ୍କୁ ଆଜି ଦେଇଛି ପରିଚୟ। ତାଙ୍କୁ ସହଯୋଗ ର ହାତ ବଢ଼ାଇଛି ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ଏହି ସଂସ୍ଥା ଦ୍ୱାରା ପରିଚାଳିତ ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଏବେ ପଞ୍ଜାବକୁ ଯାତ୍ରା କରିଛନ୍ତି ସେ। ଜଣେ ଉଦୀୟମାନ ଯୁବ ଖେଳାଳି ଭାବେ ଅଞ୍ଚଳର ନାଁ ରଖିବା ସହ ନିଜକୁ ପରିଚିତ କରାଇପାରିଛନ୍ତି ଆଶିଷ। ସୂଚନା ଅନୁଯାୟୀ, ଅଞ୍ଚଳର ଖ୍ୟାତନାମା ଗୋଲ କିପର ବାପା ଦିନେଶ ପୂର୍ତ୍ତିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୨୦୧୭ରେ ସେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ୨୦୧୮ରେ ନିଜର ଅବିଶ୍ୱସନୀୟ ପ୍ରତିଭା ଯୋଗୁ ଟାଟା କମ୍ପାନୀ ଦ୍ୱାରା ଜାମଶେଦପୁରରେ ହେଉଥିବା ଚୟନ ପ୍ରକ୍ରିୟାରେ ଚୟନ ହୋଇ ପଞ୍ଜାବର ଖ୍ୟାତନାମା ମୀନର୍ଭା କ୍ଲବ୍‌ରେ ସେ ରେସିଡେନସିଆଲ ପ୍ରଶିକ୍ଷଣ ପାଇଁ ଯୋଗଦେଇଥିଲେ । ତା’ପରଠାରୁ ଆରମ୍ଭ ହୋଇଥିଲା ତାଙ୍କର ଫୁଟବଲ ର ବିଜୟ ଯାତ୍ରା। ଏହା ମଧ୍ୟରେ ଜାତୀୟସ୍ତରରେ ଅନେକ ମ୍ୟାଚ ଖେଳି ସାରିଛନ୍ତି। ପଞ୍ଜାବର ରାଉଣ୍ଡ ଗ୍ଲାସ୍‌ କ୍ଲବ୍‌ରେ ଅଣ୍ଡର-୧୭ ଦଳରେ ପ୍ରଶିକ୍ଷଣରତ ଅଛନ୍ତି ସେ । ଏଥିସହ ବର୍ତ୍ତମାନ ଚଣ୍ଡିଗଡ଼ର କେପିଏସ୍‌ ଇଂରାଜୀ ମିଡିୟମ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନରତ। ଆଶିଷ କହିଛନ୍ତି, ଅଞ୍ଚଳରେ ବାପା ଗୋଲ କିପର ହିସାବରେ ବେଶ୍‌ ଜଣାଶୁଣା। କିନ୍ତୁ ମୋର ବିଶ୍ବାସ ମୁଁ ଦିନେ ଭାରତୀୟ ଫୁଟ୍‌ବଲ ଦଳରେ ସ୍ଥାନ ପାଇ ମୋ ମାଟିର ଟେକ ରଖିବି। ଆର୍ଜେଣ୍ଟିନାର ଖେଳାଳି ଲିଓନେଲ ମେସି ଓ ଭାରତର ଜାତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ନିଜର ଆଦର୍ଶ ମାନିଛନ୍ତି। ଆଶିଷଙ୍କ ବାପା ଦିନେଶ କୁହନ୍ତି, ବିଭିନ୍ନ ଅସୁବିଧା ଯୋଗୁ ସେ ଫୁଟ୍‌ବଲ ଖେଳି ପାରି ନ ଥିଲେ। କିନ୍ତୁ ପୁଅ ଦିନେ ଭଲ ଫୁଟ୍‌ବଲ ଖେଳି ଏହିମାଟି ପାଇଁ ସୁନାମ ଆଣିବ ବୋଲି କହିଛନ୍ତି। ପ୍ରକାଶଯୋଗ୍ୟ, ଟିଏସ୍‌ଏଫ୍‌ର ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରୁ କୋଚିଂ ନେଇ ଆଶିଷଙ୍କ ଭଳି ଯୋଡ଼ା ବସ୍ତି ୱାର୍ଡ ନଂ. ୮ର ମନୀଷା ନାୟକ, ଆଜାଦ ବସ୍ତି ୱାର୍ଡ ନଂ. ୫ର ବର୍ଷା ମହାକୁଡ଼ ଓ କ୍ୟାମ୍ପ ହଟିଂର ରୂପଶ୍ରୀ ମୁଣ୍ଡା ମଧ୍ୟ ଫୁଟ୍‌ବଲ ଖେଳକୁ ସେମାନଙ୍କର କ୍ୟାରିୟର ଭାବରେ ଗ୍ରହଣ କରିଛନ୍ତି। ୨୦୧୨ ଠାରୁ ଯୋଡ଼ା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଟିଏସ୍‌ଏଫ୍‌ ଦ୍ୱାରା ୯ ସେଣ୍ଟରରେ ଫୁଟ୍‌ବଲ କୋଚିଂ ପ୍ରଦାନ କରାଯାଇ ଆସୁଛି। ବର୍ତ୍ତମାନ ପ୍ରାୟ ୨୦୦ ଝିଅ, ପୁଅ କେନ୍ଦ୍ରଗୁଡ଼ିକରେ କୋଚିଂ ନେଉଛନ୍ତି। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌)ର ଏହି ଜନକଲ୍ୟାଣକାରୀ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ ।

Exit mobile version