କେନ୍ଦୁଝର, (ନିପ୍ର) ଜିଲ୍ଲା ସଂସ୍କୃତି ଭବନ କେନ୍ଦୁଝର ପରିସରରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ବୁଧବାରରେ ‘ଜୟ ହିନ୍ଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତଥା ବାର୍ ରାଶି ଉଚ୍ଚ ବିଦ୍ୟାଳୟ,ବସନ୍ତପୁର ର ବିଜ୍ଞାନ ଶିକ୍ଷକ ପ୍ରଣବ ରାଉତରାୟଙ୍କ ସରକାରୀ ସେବା ନିବୃତ୍ତ ଦିବସକୁ ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ୟୁଟିଆର ରାଜ୍ୟ ସଭାପତି ଡ଼ଃ ଉପେନ୍ଦ୍ର ସାହୁ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଅବସର ଗ୍ରହଣ କରିଥିବା ଶ୍ରୀ ରାଉତରାୟଙ୍କ କର୍ତ୍ତବ୍ୟନିଷ୍ଠା,ଛାତ୍ର ବତ୍ସଳତା,ଉତ୍ତମ ସଂଗଠକ ଆଦି ସମ୍ପର୍କରେ ଗୁଣଗାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ କେନ୍ଦୁଝରଗଡ଼ ମୁନିପାଲିଟି ର ପୌରନିର୍ବାହୀ ଅଧିକାରୀ ଡ଼ାଃ ମଧୁସ୍ମିତା ସାମନ୍ତରାୟ,ସହ ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା ଏବଂ ମୂଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ବବ୍ରୁବାହନ ମହାପାତ୍ର ଯୋଗ ଦେଇ ଏହି ଭଳି ନିଆରା ଢଙ୍ଗ ରେ ଅବସର ଦିବସ ପାଳନ କରିବା ନିଷ୍ପତ୍ତିକୁ ସ୍ଵାଗତ କରିବା ସହିତ ତାଙ୍କର ପରବର୍ତ୍ତୀ ଜୀବନ ସୁସ୍ଥମୟ ଓ ଆନନ୍ଦମୟ ହେଉ ବୋଲି ଆଶା ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଶହୀଦ ବୀର ଯବାନ ରତନ ପ୍ରଧାନ ଏବଂ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଗର୍ବ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କୁ ଉପଢ଼ୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ହରିପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାବୁଲାଲ ପଲେଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେଇଥିଲେ।ଏହି ଅବସରରେ ଜିଲ୍ଲାର ଅବସରପ୍ରାପ୍ତ ବୀର ଯବାନ, ଅବସରପ୍ରାପ୍ତ ଶିକ୍ଷକ ତଥା କୃତୀ ଶିକ୍ଷକ,ଚଳିତ ମାଟ୍ରିକ ପରୀକ୍ଷାରେ ୧୦ ଜଣ କୃତୀ ଛାତ୍ରଛାତ୍ରୀ,ବନ ବିଭାଗ ଓ ପୋଲିସ ବିଭାଗରୁ ଜଣେ କର୍ମଚାରୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ନନ୍ଦ,ଲକ୍ଷ୍ମୀଧର ବେହେରା,ରମେଶ ଚନ୍ଦ୍ର ହୋତା,ହରିଶ ଚନ୍ଦ୍ର ପଢିଆରୀ,ତ୍ରିଲୋଚନ ମହାନ୍ତ,ବସନ୍ତ ସାହୁ,ହରିପ୍ରସାଦ ମିଶ୍ର,ନରୋତ୍ତମ ବାରିକ,ମହେନ୍ଦ୍ର ମହାନ୍ତ,ଶରତ ଚନ୍ଦ୍ର ମାଝୀ,ଟିକାୟତ ଚନ୍ଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକ ବିଜୟ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।