Site icon ଆଜିକାଲି

୨୮ରୁ ଆରମ୍ଭ ହେବ ୩ ଦିନିଆ ଓଡିଶା ଟ୍ରାଭେଲ ବଜାର, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୁଲ୍ୟରେ ଓଡିଶା ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ ୨୮ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଫ୍ଲାଗସିପ୍ ପ୍ରଦର୍ଶନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଘରୋଇ ଟୁର୍ ଅପରେଟର୍ସ ଏବଂ ବିଦେଶୀ ଟୁର୍ ଅପରେଟର୍ସଙ୍କ ସହିତ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶାର ବିଭିନ୍ନ ଟୁର ଅପରେଟର, ହୋଟେଲିୟରଙ୍କ ମଧ୍ୟରେ ବି୨ବି ଓ ବି୨ଜି ମିଟିଂ ଉପରେ ଧ୍ୟାନ ଦିଆଯିବ । ଏହା ସହିତ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପରିଚିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀ ଭ୍ରମଣର ବ୍ୟବସ୍ଥା କରାଯିବ ।

ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ଭଳି ଦେଶରୁ ପ୍ରାୟ ୨୫ ଟି ବିଦେଶୀ ଟୁର୍ ଅପରେଟର ଓଡିଶା ଟ୍ରାଭେଲ ବଜାରର ୪ର୍ଥ ସଂସ୍କରଣରେ ଅଂଶଗ୍ରହଣ କରିବେ । ସେହିଭଳି ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଦେହରାଦୁନ୍‌, ଗୌହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳାଗିରି, ମୁମ୍ବାଇ, ନାଗପୁର, ନାସିକ୍‌, ନୂଆଦିଲ୍ଲୀ ଓ ଏନସିଆର, ପଞ୍ଜିମ, ପୁଣେ, ରାୟପୁର, ରୋହତକ, ସିଲିଗୁରୀ, ସୁରେନ୍ଦ୍ରନଗର, ଥିରୁବନନ୍ତପୁରମ୍‌, ବାରାଣାସୀ ଏବଂ ବିଶାଖାପାଟନମ୍ ଭଳି ସ୍ଥାନମାନଙ୍କର ଟୁର ଅପରେଟରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରର ଏକ ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଏବଂ ଅବକାରୀମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଣମାଧ୍ୟମ ସହ ଆଲୋଚନା କରିଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ଦ୍ୱାରା କରାଯାଉଥିବା ପ୍ରୟାସ ତଥା ରାଜ୍ୟର ଅନ୍ୱେଷିତ ଗନ୍ତବ୍ୟସ୍ଥଳକୁ ଲୋକପ୍ରିୟ କରିବା ପାଇଁ ଭ୍ରମଣ ଏବଂ ପର୍ଯ୍ୟଟନ ଶିଳ୍ପର ସକ୍ରିୟ ସହଭାଗୀତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ବିଭାଗର ଓ.ଏସ.ଡ଼ି ଅଂଶୁମାନ ରଥ, ଜେ.କେ ମହାନ୍ତି, ସହକାରୀ ଚେୟାରମ୍ୟାନ୍‌, ଫିକି, ପର୍ଯ୍ୟଟନ ଏବଂ ଆତିଥ୍ୟ କମିଟି ଏବଂ ସିଏମଡି, ସ୍ୱସ୍ତୀ ଗୃପ ଅଫ ହୋଟେଲସ ଗଣମାଧ୍ୟମ କର୍ମକର୍ତାଙ୍କୁ ସମ୍ବୋଧିତ କରି ପର୍ଯ୍ୟଟନ ତଥା ପର୍ଯ୍ୟଟନ ଶିଳ୍ପର ହିତାଧିକାରୀମାନଙ୍କ ସହ ଯୋଗାଯୋଗ କ୍ଷେତ୍ରରେ ଓଡିଶା ଟ୍ରାଭେଲ ବଜାରର ଗୁରୁତ୍ୱ ବିଷୟରେ କହିଥିଲେ ।

Exit mobile version