Site icon ଆଜିକାଲି

ରେଢାଖୋଲରେ ଉନ୍ନତିମୂଳକ କାମର ହିସାବ ଦେଲା ବିଜେଡି, ସାଂସଦ ପାଣ୍ଠିର ଲୁଟ ନେଇ ଘେରିଲା

ସମ୍ୱଲପୁର ; ରାଜ୍ୟର ସବୁ ଅଞ୍ଚଳରେ ଲୋକେ କେମିତି ସମାନ ସୁବିଧା ପାଇବେ ଏଥିପ୍ରତି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସଚେତନ ଥାଆନ୍ତି । ବିଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଏହାହିଁ ମୂଳମନ୍ତ୍ର ହୋଇ ରହିଆସିଛି । ଉପାନ୍ତ ଅଞ୍ଚଳଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ସବୁ ସ୍ଥାନରେ ସବୁ କ୍ଷେତ୍ରରେ ଋପାନ୍ତରଣର ସ୍ପର୍ଶ ଲାଗିଥିବାବେଳେ ଏଥିରୁ ବାଦ ପଡିନି ସମ୍ବଲପୁର । ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ହେଲେ ରାଜନୀତିକ ସ୍ୱାର୍ଥ ରଖି ବିକାଶ କୁ ବିରୋଧ କରୁଥିବା ଲୋକଙ୍କ ଆଖିକୁ ଏହା କେବେ ଦେଖାଯିବନି । ଭାରତୀୟ ଜନତା ପାର୍ଟିର ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ବଚସ୍କର ବାରମ୍ବାର ମିଛକଥା କହି ଲୋକଙ୍କୁ ଭୁଆଁ ବୁଲାଉଥିବାବେଳେ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ କରାଯାଇଥିବା ଉନ୍ନତିମୂଳକ କାମର ହିସାବ ଦେଇଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି । ବିଗତ ଦିନରେ ରେଢାଖୋଲର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ଗ୍ରାମ ମାନଙ୍କରେ ହୋଇଥିବା ବିକାଶମୂଳକ କାମର ଚିତ୍ର ଦେଖାଇବା ସହିତ ଯଦି ସତ ସାହାସ ଅଛି ତାହେଲେ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲ ଓ ସମ୍ବଲପୁର ପାଇଁ କଣ କରିଛନ୍ତି ତାର ଉତ୍ତର ରଖିବାକୁ ଆହ୍ୱାନ ଦେଇଛନ୍ତି ।

ବିକାଶ କାମର ହିସାବ ଦେଇ ଡ. ଲେନିନ୍ ମହାନ୍ତି କହିଥିଲେ ମନ୍ଦିର ମଠ ଠାରୁ ଆରମ୍ଭ କରି ଜଳସେଚନ, ପାନୀୟ ଜଳ, କ୍ରୀଡା, ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଶସକ୍ତିକରଣ, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, କେନ୍ଦୁପତ୍ର ତେଳାଳୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଯୁଯୁମୁରା ଠାରେ ସାଢେ ବାରକୋଟି ଟଙ୍କା ବ୍ୟୟ ଅଟକଳରେ ଏକ ହକି ଟ୍ରେନିଂ ସେଣ୍ଟର ନିର୍ମାଣ କରାଯାଇଛି । ରେଢାଖୋଲ ଏନଏସିରେ ୬ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଛି । ଯାହାକି ରେଢାଖୋଲରେ କ୍ରୀଡାର ଉନ୍ନତି ପାଇଁ ସଫଳ ପ୍ରଚେଷ୍ଟା ଅଟେ । କାଳିଆ ଯୋଜନାରେ ରେଢାଖୋଲ ଅଞ୍ଚଳର ୪୪ ହଜାର ଚାଷୀ ଲାଭବାନ ହୋଇଛନ୍ତି । ସେହିଭଳି ଜିରୋ ପ୍ରିମିୟମ କୃଷି ବୀମାରେ ୬୩ ହଜାର ଚାଷୀ ଏବଂ ୩୬ ହଜାର ଏକର ଚାଷଜମି ପଞ୍ଜିକୃତ କରାଯାଇଛି । ରେଢାଖୋଲ ଅଞ୍ଚଳର ୩୧୫୦ ଟି ସ୍ୱୟଂ ସହାୟକ ମହିଳା ଦଳକୁ ୧୦୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ କରାଯାଇଛି । ମମତା ଯୋଜନାରେ ୨୧ ହଜାର ୩୦୦ ମହିଳା ଲାଭବାନ ହୋଇଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରେଢାଖୋଲ ବାସୀଙ୍କ ପାଇଁ ସଞ୍ଜିବନୀ ସାଜିଛି ବିଏସକେୱାଇ କାର୍ଡ । ରେଢାଖୋଲ ଅଞ୍ଚଳର ୬୩ ହଜାର ୫୦୦ ହୀତାଧିକାରୀଙ୍କୁ ବିଏସକେୱାଇ ଯୋଜନାରେ ପଞ୍ଜୀକୃତ କରାଯାଇଥିବାବେଳେ ତନ୍ମଧ୍ୟରୁ ୪ ହଜାର ୬୦୦ ଜଣ ବିନା ମୂଲ୍ୟରେ ଚିକିତ୍ସା ପାଇଛନ୍ତି । ଯୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତର ଦିପାଞ୍ଜଳୀ କୁମ୍ଭାରଙ୍କ ଚିକିତ୍ସାରେ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସେବା ପ୍ରଦାନ କରାଯାଇଛି । ସେହିଭଳି ଯୁଯୁମୁରା ପଞ୍ଚାୟତର ସଞ୍ଜିତା ଲୁଗୁନ ସାଢେ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ୩୮ ହଜାର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ରେଢାଖୋଲ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ୩୯ ଟି ଆମ ବ୍ୟାଙ୍କ ନିର୍ମାଣ କରାଯାଇଥିବାବେଳେ ତହିଁରୁ ୧୫ ଟି କାର୍ଯ୍ୟକ୍ଷମ ହେଲାଣି । ବାକି ରହିଯାଇଥିବା ଆମ ବ୍ୟାଙ୍କ ମଧ୍ୟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ବୋଲି ସୂଚନା ରହିଛି । ସେହିଭଳି ସନ୍ଥକବି ଭୀମଭୋଇଙ୍କ ସ୍ମୃତିପୀଠର ଉନ୍ନତି ପାଇଁ ୮ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଋପାନ୍ତରଣ କରାଯାଉଛି । ପ୍ରସିଦ୍ଧ ହୁମା ମନ୍ଦିରର ଉନ୍ନତିକରଣ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଉନ୍ନତିକରଣ କାମ ଜାରି ରହିଛି । ସେହିଭଳି ରେଢାଖୋଲର ଜଗନ୍ନାଥ ମନ୍ଦିର, ପଞ୍ଚଖଣ୍ଡା ମନ୍ଦିରର ଉନ୍ନତିକରଣ କାମ ଜାରି ରହିଛି । ଦେ ଗାଁ, ମାନେଶ୍ୱର, କୟାକୁଦ ଏବଂ ଦେଓଝରନ ଠାରେ ଜଳସେଚନ ପ୍ରକଳ୍ପ ନିର୍ମାଣଧୀନ ରହିଛି । ରେଢାଖୋଲ, ନାକଟିଦେଉଳ, ମାନେଶ୍ୱର ଏବଂ ଯୁଯୁମୁରା ବ୍ଲକରେ ୪୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ମେଗା ପାନୀୟ ଜଳ ଯୋଜନା କରାଯାଉଛି । ରେଢାଖୋଲର ୬୫ ଟି ଉଚ୍ଚ ବିଦ୍ୟାଳୟ ଏବଂ ୧୫ ଟି କଲେଜକୁ ୫ଟି ଜରିଆରେ ଋପାନ୍ତରିକରଣ କରାଯାଇଛି । ନୂଆ ଓ ସ୍କୋଲାରସିପରେ ରେଢାଖୋଲ ଅଞ୍ଚଳର ୧୮୦୪ ଜଣ ଛାତ୍ରଛାତ୍ରୀଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ସେହିଭଳି ସମ୍ବଲପୁର ଜିଲ୍ଲାରେ ୭୩ ହଜାର ପଞ୍ଜୀକୃତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ରହିଥିବାବେଳେ ସେମାନଙ୍କ ବୋନସ ଏବଂ ଇନସେଣ୍ଟିଭ ବାବଦକୁ ୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ହେଉଛି ନବୀନ ଗ୍ୟାରେଣ୍ଟି । କେବଳ ରେଢାଖୋଲ ନୁହେଁ ଅନ୍ୟାନ୍ୟ ଅଞ୍ଚଳ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ । ମୁଖ୍ୟମନ୍ତ୍ରୀଙ୍କ କାମ ପ୍ରତି ପ୍ରତିବଦ୍ଧତା ଦେଖିବିଜୁ ଜନତା ଦଳ ପ୍ରତି ଲୋକଙ୍କ ଭରସା ବଢିବାରେ ଲାଗିଛି । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଦକ୍ଷ ନେତା ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ଲଢୁଛନ୍ତି ସେ ସମ୍ବଲପୁରରେ ବିକାଶର ମଙ୍ଗ ଧରିବେ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଅପରପକ୍ଷେ ପ୍ରଚାର ସର୍ବସ୍ୱ ଧର୍ମେନ୍ଦ୍ର ପ୍ରଧାନ ଏ ଅଞ୍ଚଳ ପାଇଁ କଣ କରିଛନ୍ତି କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି । ସମ୍ବଲପୁର ପାଇଁ ଯଦି କିଛି କାମ କରିଛନ୍ତି ତାହେଲେ ତାର ଉତ୍ତର ତଥ୍ୟ ସହିତ ଉପସ୍ଥାପନ କରନ୍ତୁ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Exit mobile version