Site icon ଆଜିକାଲି

ଆନ୍ଧ୍ରରୁ ଆସିଲା ଦାଦନ ଶ୍ରମିକଙ୍କ ଶବ


କେନ୍ଦୁଝର, (ନିପ୍ର) ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡ଼ା ଜିଲ୍ଲା ଚିରାଲା ଥାନା ଅନ୍ତର୍ଗତ ଇପୁରପାଲମ ନିକଟରେ ଟ୍ରେନ୍‌ରୁ ଖସିପଡ଼ି ତେଲକୋଇ ବ୍ଲକ୍‌ ତାଳପଦା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଜିଲ୍ଲା ପ୍ରଶାସନର ସହଯୋଗରେ ଦାଦନ ଶ୍ରମିକଙ୍କ ଶବ ନିଜ ଗ୍ରାମକୁ ଆଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଗ୍ରାମର ବେଣୁଧର ପ୍ରଧାନଙ୍କ ପୁଅ ଲମ୍ବୋଦର ପ୍ରଧାନ (୩୦) ଓ ଅନ୍ୟ କିଛି ଯୁବକ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ଦଲାଲ ସେଠାରେ ସେମାନଙ୍କୁ ଛାଡ଼ି ଚାଲିଆସିବା ପରେ ଶ୍ରମିକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୩୦ ତାରିଖରେ ଲମ୍ବୋଦର ଟ୍ରେନ୍‌ ଯୋଗେ ଘରକୁ ଫେରୁଥିବା ବେଳେ ବିଜୟଓ୍ବାଡ଼ା ଜିଲ୍ଲା ଚିରାଲା ଥାନା ଅନ୍ତର୍ଗତ ଇପୁରପାଲମ ନିକଟରେ ଟ୍ରେନରୁ ଖସିପଡ଼ି ପ୍ରାଣ ହରାଇଥିଲେ। ସେଠାରୁ ଶବ ଆଣିବା ଗରିବ ପରିବାର ପକ୍ଷରେ ସମ୍ଭବ ନଥିଲା। ତେଣୁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ। ଜିଲ୍ଲାପାଳ ଆଶିଷ ଠାକ୍‌ରେ ନିର୍ଦେଶକ୍ରମେ ଶ୍ରମ ବିଭାଗର ଜଣେ କର୍ମଚାରୀଙ୍କ ସମେତ ମୃତ ‌ଲମ୍ବୋଦରଙ୍କ ମାମୁ ବେଣୁଧର ନାଏକ, ଭାଇ କେଶରୀ ପ୍ରଧାନ ଓ ଶଳା କୁଶଧ୍ବଜ ବାରିକ ଆନ୍ଧ୍ରପ୍ରଦେଶ ‌ଯାଇଥିଲେ। ସେଠାକାର ପୁଲିସ ‌ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ (ଓଡି-୦୨-ବିଏମ-୬୪୨୫) ମୃତଦେହକୁ ଅପରାହ୍‌ଣରେ ଗାଁକୁ ଅଣାଯାଇଥିଲା। ଗ୍ରାମ ଶ୍ମଶାନରେ ଲମ୍ବୋଦରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଲମ୍ବୋଦରଙ୍କ ବିଧବା ପତ୍ନୀ, ଦୁଇ ସନ୍ତାନ ଓ ବୃଦ୍ଧ ବାପାମା’ ଅଛନ୍ତି।

Exit mobile version