Site icon ଆଜିକାଲି

ଚାରି ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମ୍ବଲପୁରଠାରେ ସମ୍ବଲପୁର , ବରଗଡ଼ , ଢେଙ୍କାନାଳ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ସମୀକ୍ଷା ବୈଠକରେ ସମ୍ବଲପୁର , ଝାରସୁଗୁଡ଼ା , ବରଗଡ଼ , ସୁନ୍ଦରଗଡ଼ , ଦେବଗଡ଼ , ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ , ଆରକ୍ଷୀ ଅଧୀକ୍ଷକ ଓ ରିଟର୍ଣ୍ଣିଂ ଅଫିସରମାନେ ଯୋଗଦେଇ ନିର୍ବାଚନ ପ୍ରସ୍ତୁତି ନେଇ ସବିଶେଷ ତଥ୍ୟ ରଖିଥିଲେ ।

ସମୀକ୍ଷା ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚାରି ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥ‌ିବା ୭ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ , ସମସ୍ତ ଅତିରିକ୍ତ ଜିଲ୍ଲାପାଳ , ଉପଜିଲ୍ଲାପାଳମାନଙ୍କ ସହ ବିସ୍ତୃତ ଭାବରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ନିଜ ନିଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ସବିଶେଷ ତଥ୍ୟ ରଖିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମସ୍ତ ତଥ୍ୟ ବାବଦରେ ଅବଗତ ହେବା ସହ ପ୍ରସ୍ତୁତିର ବିଭିନ୍ନ ଦିଗ ଓ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ଯରେ ସଫଳ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିଥିଲେ । ଏହା ସହିତ ମୁଖ୍ୟ ନିର୍ବାଚନ ଅଧିକାରୀ ସି – ଭିଜିଲ୍ ସୁବିଧା ପୋର୍ଟାଲ , ଏନ୍‌କର ନୋଡାଲ ଆଦି ଆପ୍ ଦ୍ଵାରା ନିର୍ବାଚନ ପରିଚାଳନା କିପରି ସହଜ ଭାବରେ ହେବ ତାହା ଆଲୋଚନା କରିଥିଲେ ।

ନକ୍ସଲ ପ୍ରଭାବିତ ଅଞ୍ଚଳ , ପୋଷ୍ଟାଲ ବାଲାଟ୍ , ନିର୍ବାଚନ ଆଚରଣ ବିଧି ବିଷୟରେ ସବିଶେଷ ଆଲୋଚନା କରି ମତଦାତାମାନଙ୍କୁ କେନ୍ଦ୍ରରେ ରଖି ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଅଧ‌ିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ , ଭିନ୍ନକ୍ଷମ , ମହିଳା , ଯୁବ ଭୋଟରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମତଦାତା ମାର୍ଗଦର୍ଶିକାକୁ ମତଦାନର ନିମନ୍ତ୍ରଣ ପତ୍ର ଭାବରେ ପ୍ରତି ପରିବାରକୁ ପହଞ୍ଚାଇ ଏକ ଜାତୀୟ ଉତ୍ସବ ପରି ନିର୍ବାଚନକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।

ବୈଠକର ଦ୍ଵିତୀୟ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମସ୍ତ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ତଥା ଏଡିଜି ସଂଜୟ କୁମାର ସିଂ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ନିର୍ବାଚନ ଆଚରଣ ବିଧ‌ିର ଉଚିତ ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ , ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା – ଅବକାରୀ , ଜିଏସ୍‌ଟି , ପରିବହନ ଓ ଜଙ୍ଗଲ ବିଭାଗ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ସିଇଓ ନିର୍ଦ୍ଦେଶ ଦେଇଥିଲେ ।

ପ୍ରେସ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମୀକ୍ଷାର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । କିଭଳି ଭାବରେ ବିଭିନ୍ନ ବୁଥରେ ସୁରକ୍ଷା , ମତଦାତାଙ୍କ ସୁବିଧା ପାଇଁ ଭୋଟିଂ ସମୟ , ବୁଥରେ ପାନୀୟ ଜଳ , ଛାଇ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ ତାହା ଆଲୋଚନା ହୋଇଥିଲା । ୭ଟି ଜିଲ୍ଲାରେ ମୁକ୍ତ , ଅବାଧ , ନିରପେକ୍ଷ ଓ ସମସ୍ତଙ୍କ ଅଂଶଗ୍ରହଣ ଦ୍ଵାରା ନିର୍ବାଚନ ସୁପରିଚାଳନା ହେଉଛି ବୋଲି ସିଇଓ ମତ ରଖିଥିଲେ ।

ଉଭୟ ସଂପାନର ସମୀକ୍ଷାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ . ତିରୁମାଲା ନାୟକ ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସମୀକ୍ଷା କରିଥଲେ । ଏହି ବୈଠକରେ ଉତ୍ତରାଞ୍ଚଳ ଆର୍‌ଡିସି ଶ୍ରୀକାନ୍ତ ପୃଷ୍ଟି , ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ , ଉତ୍ତର- କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ , ପଶ୍ଚିମାଞ୍ଚଳ ଡିଆଇଜି ନିତିଶେଖର , ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ , ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ , ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନରାନେ , ଢେଙ୍କାନାଳ ଜିଲ୍ଲାପାଳ ଅମୃତ ଋତୁରାଜ , ଅନୁଗୋଳ ଜିଲ୍ଲାପାଳ ଅବଦଲ୍‌ ଏମ୍ . ଅଖତର , ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ , ସୁନ୍ଦରଗଡ଼ ଜିଲ୍ଲାପାଳ ଗାୱଲି ପରାଗ ହର୍ଷଦ ଯୋଗ ଦେଇଥିଲେ । ଆଇନଶୃଙ୍ଖଳା ସମୀକ୍ଷା ବୈଠକରେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ( ସମ୍ବଲପୁର ) , ପି.ଏସ୍ . ମୀନା ( ବରଗଡ଼ ) , ମଡ଼କର ସନ୍ଦୀପ ସମ୍ପଦ ( ଢେଙ୍କାନାଳ ) , ଅନୁପମା ଜେମ୍ସ ( ଦେବଗଡ଼ ) , ପି.ଏସ୍ . ପୁରୁଷୋତ୍ତମ ଦାସ ( ଝାରସୁଗୁଡ଼ା ) ଯୋଗଦେଇଥିଲେ ।

Exit mobile version