Site icon ଆଜିକାଲି

ବିଡିଏ ନିର୍ମିତ ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜୟଦେବ ବିହାର ଠାରେ ମହାନ ଜନନାୟକ ସ୍ବର୍ଗତ ଶିବାଜୀ ପଟ୍ଟନାୟକଙ୍କ ନାମରେ ନିର୍ମିତ ସ୍ମାରକୀ ପ୍ଲାଜାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ସୁଶାନ୍ତ ରାଉତ,ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ସେକ୍ରେଟାରୀ କବିନ୍ଦ୍ର କୁମାର ସାହୁ, ସିପିଆଇ (ଏମ) ରାଜ୍ୟ ସାଧାରଣ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପାଲ ହାଇଟ୍ ଜୟଦେବ ବିହାର, ଭୁବନେଶ୍ୱର, ସିପିଆଇ (ଏମ୍) କାର୍ଯ୍ୟାଳୟ ନିକଟରେ ୬୧୫ ବର୍ଗ ମିଟର ଉପରେ ନିର୍ମାଣ ଏହି ପ୍ଲାଜା , ଶ୍ରମିକ ଶ୍ରେଣୀର ଉନ୍ନତି ଦିଗରେ ଶିବାଜୀ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବ।

ଚଳିତବର୍ଷ ମେ’ ମାସରେ ସ୍ବର୍ଗତ ଶିବାଜୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟମନ୍ତ୍ରୀ ପ୍ଲାଜାର ଶିଳ୍ୟାନ୍ୟାସ କରିଥିଲେ। ବିଡିଏ ଏହି ପ୍ରକଳ୍ପର ଡିଜାଇନ ଏବଂ ଉନ୍ନତିକରଣର କାର୍ଯ୍ୟଭାର ଗ୍ରହଣ କରିଥିଲା | ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ମାତ୍ର ୫ ମାସ ଭିତରେ ବିଡିଏ ପକ୍ଷରୁ ଏହି ସ୍ମାରକୀ ନିର୍ମାଣ କରାଯାଇଛି | ବିଭାଗୀୟ ଅଧିକାରୀ ମାନେ ଦିନରାତି କାମ କରି ଏହି ସ୍ମାରକୀ ନିର୍ମାଣ କରିଛନ୍ତି | ଏଥିପାଇଁ ସେ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ଏହି ପ୍ଲାଜା ନିର୍ମାଣ ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବସିବା ପାଇଁ ଜାଗା, ପିଇବାପାଣି, ଶୌଚାଳୟ ଆଦି ନିର୍ମାଣ ହୋଇଛି। ଏହି ପଦକ୍ଷେପ ତାଙ୍କର ଉତ୍ତରାଧିକାରୀ ସଂରକ୍ଷଣ କରିବା ସହ ଭବିଷ୍ୟତ ପିଢ଼ୀମାନଙ୍କୁ ତାଙ୍କର ମୂଲ୍ୟବୋଧ, ଅବଦାନର ବାର୍ତ୍ତା ଦେବ | ଏହି ପ୍ଲାଜାରେ ସ୍ବର୍ଗତ ପଟ୍ଟନାୟକଙ୍କ ଜୀବନ, ସଫଳତା ଏବଂ କିସାନ ଆନ୍ଦୋଳନ, ଖେତ ମଜଦୁର ୟୁନିଅନ, ରାଜ୍ୟରେ ଟ୍ରେଡ୍ ୟୁନିଅନ ଆନ୍ଦୋଳନ ତଥା ତାଙ୍କର ଉନ୍ନତିମୂଳକ କାର୍ଯ୍ୟ ଉପରେ ଦର୍ଶାଯାଇଛି। ସମାଜ ସବୁଜ ଜୀବନ ପ୍ରତି ଏକ ବୃହତ ଲକ୍ଷ୍ୟ ସହିତ ଏହାର ଚାରିପାଖର ୭୦ ପ୍ରତିଶତ ଜାଗା ମୁକ୍ତାକାଶ ବା ଖୋଲା ସ୍ଥାନରେ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Exit mobile version