Site icon ଆଜିକାଲି

ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମାଣ୍ଡିଆ ସମ୍ମିଳନୀ । ଗୁରୁବାର ସ୍ଥାନୀୟ ଜନତା ମଇଦାନରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁଷ୍ଟିଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୭ରେ ଓଡ଼ିଶା ମିଲେଟ ମିଶନ ଆରମ୍ଭ ହୋଇଥିଲା । ଏହି ଶସ୍ୟ ଯେକୌଣସି ଜଳବାୟୁ ଏବଂ ଭୂଭାଗରେ ଅମଳ ହେଉଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏହା ବିଶେଷ ସାହାଯ୍ୟ କରିଥାଏ ।

ମିଲେଟ୍‌ ଚାଷରେ ସ୍ଵଳ୍ପ ପାଣି ବ୍ୟବହାର ହେଉଥିବାରୁ ଓ ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଉତ୍ପନ କମ୍ ରହୁଥିବାରୁ ଏହା ପରିବେଶ ଅନୁକୂଳ । ୨୦୨୩ ବର୍ଷକୁ ଜାତିସଂଘ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରି ଏହି ଶସ୍ୟପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏଥିଲାଗି ଜାତିସଂଘକୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି । ଏହି ପୁଷ୍ଟିଶସ୍ୟର ପୁନରୁଦ୍ଧାର ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର କାମ କରୁଛନ୍ତି । ପ୍ରତ୍ୟେକ ଲୋକଙ୍କ ଖାଇବା ଥାଳିରେ ମିଲେଟ୍ ଭଳି ସର୍ବୋତ୍ତମ ଖାଦ୍ୟ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ମିଲେଟ୍‌ ଓ ମିଲେଟ୍‌ ଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଓଡ଼ିଶାରେ ଏହାକୁ ବିଶେଷତଃ ଆଦିବାସୀମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢ଼ି ପାଖରେ ପହଞ୍ଚିଛି ।

ଏଣିକି ହସ୍ପିଟାଲ କ୍ୟାଣ୍ଟିନରେ ମିଳିବ ମିଲେଟ୍ । ତା ସହିତ ୱାଓ ମୋମୋରେ ମଧ୍ୟ ମିଳିବ ମିଲେଟ୍ । ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟର କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ । ମିଳିଥିବା ସୂଚନା ମୁତାବକ, ଗତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ କରାଯାଇଛି । ରାଜ୍ୟର ୩୦ ଜିଲ୍ଲାର ୧୭୭ ବ୍ଲକରେ ଏଥର ମିଲେଟ୍ ଚାଷ ହେଇଛି । ଅନ୍ୟପଟେ ରାଜ୍ୟରେ ଅଢେଇ ଲକ୍ଷ ହେକ୍ଟର ଜାଗାରେ ରାଗି ଚାଷ ହେଇଛି । ଆଉ ଦୁଇ ଲକ୍ଷ ଚାଷୀ ଏଥିରେ ଯୋଡି ହୋଇଛନ୍ତି ବୋଲି କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Exit mobile version