Site icon ଆଜିକାଲି

ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଅପୂର୍ବ, ଅବର୍ଣ୍ଣନୀୟ ମୁହୁର୍ତ୍ତ। ମାଁ ସମଲେଶ୍ବରୀଙ୍କ ପୀଠର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଫଳରେ ଶତାଦ୍ଦୀ ଶତାଦ୍ଦୀର ସ୍ବପ୍ନ ଆଜି ବାସ୍ତବ ରୂପ ନେଇଛି। ମାଁ ସମଲେଶ୍ବରୀଙ୍କ ଐତିହ୍ୟ କରିଡର ଏବେ ଅଗଣିତ ଭକ୍ତଙ୍କୁ ଦେଇଛି ଅପୂର୍ବ ଅନୁଭବ।

ବହୁ ପ୍ରତୀକ୍ଷିତ ମାଁ ସମଲେଶ୍ବରୀଙ୍କ ପୀଠର ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯାହ୍ନରେ ମନ୍ଦିର ପରିସରକୁ ଆସି ଏହାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମନ୍ଦିର ପରିସରକୁ ଆସି ଗର୍ଭଗୃହରେ ମାଁଙ୍କ ଦର୍ଶନ କରିଥିଲେ। ସେଠାର ଯଜ୍ଞ ମଣ୍ଡପ ନିକଟରେ ଥିବା ଐତିହ୍ୟ କରିଡର ଫଳକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଚାଲିଥିବା ହୋମଯଜ୍ଞରେ ସାମିଲ ହୋଇ ଆହୂତି ଦେଇଛନ୍ତି। ଏହାପରେ ଐତିହ୍ୟ କରିଡରର ମଧ୍ଯ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ଯ ସାମିଲ ହୋଇଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ହଜାର ହଜାର ଭକ୍ତ ମାଁ ପୀଠର ରୂପାନ୍ତରିତ ରୂପ ଦେଖି ଅଭିଭୂତ ହୋଇଛନ୍ତି। ଏହାର ଲୋକାର୍ପଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ୫ ଦିନିଆ ହୋମଯଜ୍ଞ ଏବଂ ଚଣ୍ଡୀପାଠ। ଗତକାଲି ଏଥିପାଇଁ ଭବ୍ଯ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ୧୧ ଶହ ମହିଳା ଏଥିରେ ସାମିଲ ହୋଇ ମହାନଦୀ ଘାଟରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ହୋମଯଜ୍ଞରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୫୦ରୁ ଉର୍ଦ୍ଧ୍ବ ପଣ୍ଡିତ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ମନ୍ଦିରରେ ଭକ୍ତଙ୍କ ଜନସମୁଦ୍ର ସୃଷ୍ଟି ହୋଇଛି। ସେହିପରି ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାର ପ୍ରମୁଖ ଦେବାଦେବୀ ପୀଠର ପୂଜକ ଏବଂ କର୍ମକର୍ତ୍ତାଙ୍କ ସମେତ ଛତିଶଗଡର ମଧ୍ଯ ଅନେକ ମନ୍ଦିରର କର୍ମକର୍ତ୍ତା ସାମିଲ ହୋଇଥିଲେ। ସେମାନଙ୍କୁ ସ୍ବତନ୍ତ୍ର ଆତିଥ୍ଯ ଦିଆଯାଇଥିଲା।

ଏହି ଲୋକାର୍ପଣ ପାଇଁ ସମଗ୍ର ମନ୍ଦିର ପରିସରକୁ ଆକର୍ଷଣୀୟ ଆଲୋକମାଳା ଏବଂ ଫୁଲରେ ସଜ୍ଜିତ କରାଯାଇଛି। ଅନ୍ୟତମ ମୁଖ୍ଯ ଆକର୍ଷଣ ହେଲା ଯେ ଯଜ୍ଞ ମଣ୍ଡପ ଗୁଡିକ ସମ୍ବଲପୁରୀ ବାନ୍ଧକଳାରେ ତିଆରି ବସ୍ତ୍ରରେ ସଜେଇ ହୋଇଛି। ଏହାଛଡା ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Exit mobile version