Site icon ଆଜିକାଲି

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ରୂପାନ୍ତରଣ ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ଶାସନକୁ ପ୍ରାଥମିକତା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଅନୁଯାୟୀ ସହରରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବାର ପ୍ରକ୍ରିୟା ଜାରି ରହିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏବଂ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି । ଓଡିଶାର ସହରାଞ୍ଚଳରେ ରୂପାନ୍ତରଣର ନିରନ୍ତର ଯାତ୍ରା ଏବଂ ୫-ଟି ଶାସନ ନୀତି ଅନୁଯାୟୀ ସହରାଞ୍ଚଳର ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ଭବ ହୋଇପାରିଛି ତଥା ନିକଟ ଅତୀତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଏବଂ ଯାହାକି ସମାନ ଆବେଗ ସହିତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

ସହରାଞ୍ଚଳରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଯାହା ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଛି ସେଗୁଡିକ ମଧ୍ୟରେ ପ୍ରମୁଖ ହେଲା ଜାଗା ମିଶନ, ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାରେ ୨୪ଘଣ୍ଟା ଗୁଣାତ୍ମକ ପାନୀୟଜଳ ଯୋଗାଣ ଏବଂ ମୁକ୍ତା- ସହରୀ ମଜୁରୀ ଭିତ୍ତିକ ନିଯୁକ୍ତି ଯୋଜନା ଯାହାକି ମିଶନ ଶକ୍ତି ମହିଳାଙ୍କ ସକ୍ରିୟ ଯୋଗଦାନ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ବସ୍ତି ବାସିନ୍ଦା ସଂଘ (ଏସଡିଏ) ସହିତ ଗୋଷ୍ଠି ସହଭାଗିତା ମାଧ୍ୟମରେ ସଫଳରୂପେ କାର୍ଯ୍ୟକାରୀ ହେଉଛି ।

ନିର୍ବାଚନୀ ଇସ୍ତାହାର -୨୦୧୯ ରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଛନ୍ତି ।

● ୧.୭୩ ଲକ୍ଷ ପରିବାରଙ୍କୁ ମ୍ୟୁନିସିପାଲିଟି ଏବଂ ଏନ୍‍ଏସିରେ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ

● ୫ଟି ମହାନଗର ନିଗମରେ ଘର ସର୍ଭେ ସମାପ୍ତ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ବସ୍ତିରେ ବସବାସ କରୁଥିବା ୧ ଲକ୍ଷ ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ । ୫୦୦୦୦ ରୁ ଅଧିକ ଏଲଆରସି ପ୍ରସ୍ତୁତ ହୋଇସାରିଛି ।

● ୧,୬୨,୩୨୭ ଘର ନିର୍ମାଣ କରାଯାଇଛି

● ସମସ୍ତ ୧୧୫ ପୌରାଞ୍ଚଳର ୨୦୫୫ ୱାର୍ଡରେ ଘରକୁ ଘର ଅଳିଆ ସଂଗ୍ରହ ନିଶ୍ଚିତ ହୋଇଛି
● କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ୧୧୫ ସହରରେ ୨୫୨ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ୨୧୬ ସାମଗ୍ରୀ ପୁନରୁଦ୍ଧାର ସୁବିଧା କାର୍ଯ୍ୟ କରୁଛି ।
● ସହରରୁ ବାହାରୁଥିବା ବର୍ଜ୍ୟ ଜଳର ପକ୍ରିୟାକରଣ ପାଇଁ ୧୧୨ ଫିକାଲ୍ ସ୍ଲେଜ୍ ସେପ୍ଟେଜ୍ ଟ୍ରିଟମେଣ୍ଟପ୍ଲାଣ୍ଟ (ମଳ ପଙ୍କ ପ୍ରକ୍ରିୟାକରଣ କେନ୍ଦ୍ର) ୧୧୦ ଟି ପୌରାଞ୍ଚଳରେ କାର୍ଯ୍ୟକ୍ଷମ – ଏହି ସମସ୍ତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁବିଧା ମିଶନ ଶକ୍ତି ଏବଂ କିନ୍ନର ଗୋଷ୍ଠୀ ଦ୍ୱାରା କାର୍ଯ୍ୟକାରୀ ଏବଂ ପରିଚାଳିତ ହେଉଛି ।
● ସମସ୍ତ ୫ ଟି ମହାନଗର ନିଗମ ୧୦୦% ପାଇପ ଜଳ ଯୋଗାଣରେ ଅନ୍ତର୍ଭୁକ୍ତ
● ୧୧୦ ପୌରାଞ୍ଚଳରେ ୯୯% ପରିବାର ପାଇପ୍ ଜଳ ଯୋଗାଣରେ ଅର୍ନ୍ତଭୁକ୍ତ । ଅବଶିଷ୍ଟ ୧% ଙ୍କୁ ଡିସେମ୍ବର ୨୦୨୩ ପୂର୍ବରୁ ଯୋଗାଇ ଦିଆଯିବ ।
● ପ୍ରଥମେ ପୁରୀ ଓ ପରବର୍ତ୍ତୀ ସମୟରେ ଗୋପାଳପୁରଠାରେ ୨୪ ଘଣ୍ଟିଆ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନା ସଫଳ ଭାବେ ସମାପନ
● ବ୍ରହ୍ମପୁରରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ଜୁନ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ
● କଟକରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ
● ରାଉରକେଲାରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ
● ଭୁବନେଶ୍ୱରରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ମାର୍ଚ୍ଚ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ
● ଭୁବନେଶ୍ୱର ରାଜଧାନୀ ଅଞ୍ଚଳ ପାଇଁ ମେଟ୍ରୋ ରେଳ ବ୍ୟବସ୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛି ଏବଂ ଡିପିଆର ପ୍ରସ୍ତୁତି ଚାଲିଛି । ୨୦୨୩ ଶେଷ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି ।

ବିଭାଗର ପ୍ରମୁଖ ସଫଳତା ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ ସହରୀ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ଆମେ ଆମର ଯାତ୍ରା ଜାରି ରଖିଛୁ । ବିଭାଗୀୟ ମନ୍ତ୍ରୀ କିଛି ପ୍ରମୁଖ ସଫଳତା ସଂପର୍କରେ କହିଥିଲେ ।

ଜାଗା ମିଶନ୍

ମୁଖ୍ୟମନ୍ତ୍ରୀଙ୍କ ନୀତି, “ଜମିଠାରୁ ଲୋକଙ୍କ ଜୀବନ ମୂଲ୍ୟବାନ ” ପାଳନ ସହିତ ଲୋକଙ୍କୁ ବସ୍ତିରୁ ବାହାର କରିବା ପରିବର୍ତ୍ତେ ସେମାନଙ୍କୁ ଜମି ଅଧିକାର ପ୍ରଦାନ କରି ବିଜୁ ଆଦର୍ଶ କଲୋନୀରେ ଭିତ୍ତିଭୂମି, ସୁବିଧା ଏବଂ ସେବାକୁ ଉନ୍ନତ କରି ସେମାନଙ୍କୁ ସଶକ୍ତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୭୭୨ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିବର୍ତ୍ତିତ କରାଯାଇଥିବାବେଳେ ୪ଟି ସହର ଯଥା ହିଞ୍ଜିଳିକାଟୁ, ଦିଗପହଣ୍ଡି, ରମ୍ଭା ଏବଂ ପୁରୁଷୋତ୍ତମପୁର ବସ୍ତି ମୁକ୍ତ ମାନ୍ୟତା ପାଇଛି । ଏହି ପ୍ରୟାସଗୁଡିକ ଆନ୍ତର୍ଜାତୀୟ ମାନ୍ୟତା ପାଇଛି, ଏବଂ ୨୦୧୯ ଏବଂ ୨୦୨୩ ରେ ମିଳିତ ଜାତିସଂଘ ହାବିଟାଟ୍‌- ଏବଂ ୱାର୍ଲ୍ଡ ହାବିଟାଟ୍ ପୁରସ୍କାର ପାଇବାରେ ସଫଳ ହୋଇଛି ।

ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍‍

ମୁଖ୍ୟମନ୍ ନବୀନ ପଟ୍ଟନାୟକଙ୍କ ଆଉ ଏକ ସ୍ୱପ୍ନ ହେଉଛି ପ୍ରତ୍ୟେକ ପରିବାରକୁ ପାଇପ୍‍ ସଂଯୋଗ ମାଧ୍ୟମରେ ନିରାପଦ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା । ସମସ୍ତ ପାଞ୍ଚଟି ମହାନଗର ନିଗମ ସମେତ ୮୫ ଟି ସହରରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍ ମିଶନ ଅଧୀନରେ ୧୦୦% ଜଳ ସଂଯୋଗ ହୋଇଛି । ଅବଶିଷ୍ଟ ୩୦ ଟି ସହର ଡିସେମ୍ବର ୨୦୨୩ ପୂର୍ବରୁ ଏଥିରେ ଅନ୍ତର୍ଭୁକ୍ତ ହେବ ।

ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ଯେ ଆମ ସହରଗୁଡିକରେ ଆନ୍ତର୍ଜାତୀୟ ସହର ସହିତ ସମାନ ଭାବରେ ଜଳ ଯୋଗାଣ ସେବା ଯୋଗାଇ ଦିଆଯାଉ । ପୁରୀ ଏବଂ ଗୋପାଳପୁର ହେଉଛି ଦେଶର ପ୍ରଥମ ଓ ଦ୍ୱିତୀୟ ସହର ଯେଉଁଠାରେ ଆଇଏସ ୧୦୫୦୦ ମାନକ ଅନୁସରଣ ଅନୁଯାୟୀ ୨୪ ଘଣ୍ଟିଆ ପାନୀୟଜଳ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜାରେ ଯୋଗାଇ ଦିଆଯାଉଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଅନ୍ୟ ୨୧ ଟି ସହର ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍ ମିଶନ୍ ଅଧୀନରେ ୪୦ ଲକ୍ଷ ସହରୀ ଲୋକ ଉପକୃତ ହେବେ ବୋଲି ମାଥିଭାଥାନନ୍ କହିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ୨୪ ଘଣ୍ଟିଆ ଟ୍ୟାପ ଜରିଆରେ ସିଧାସଳଖ ପାନୀୟ ଉପଯୋଗୀ ଜଳ ଯୋଗାଉଥିବାରୁ ୱାଟକୋ ୨୦୨୨ ମସିହାରେ ସ୍ପେନରେ ଆୟୋଜିତ ହୋଇଥିବା ବିଶ୍ୱ ଜଳ ସମ୍ମିଳନୀରେ ଗ୍ଲୋବାଲ ୱାଟର ଲିଡର ଡିଷ୍ଟ୍ରିଙ୍ଗସନ୍‍ ପୁରସ୍କାର ହାସଲ କରିଛି । ଉପଭୋକ୍ତାଙ୍କ ଠାରୁ ଦେୟ ସଂଗ୍ରହ, ଜଳର ଗୁଣବତ୍ତା ପରୀକ୍ଷା, ଅଭିଯୋଗର ସମାଧାନ ଆଦି ପାଇଁ ୯୦୦ ଜଳସାଥୀ ନିୟୋଜିତ ହୋଇଛନ୍ତି ।

ମୁକ୍ତା: ସହରୀ ମଜୁରୀ ଭିତ୍ତିକ ନିଯୁକ୍ତି କାର୍ଯ୍ୟକ୍ରମ

ଅନ୍ୟ ଏକ କାର୍ଯ୍ୟକ୍ରମ ଯାହାକି ରୋଜଗାର ଯୋଗାଇବାରେ ସହରୀ ଗରିବ ଲୋକଙ୍କୁ ବହୁତ ପ୍ରଭାବିତ କରିଛି ତାହା ହେଉଛି ମୁକ୍ତା, ଯାହା ଏପ୍ରିଲ୍‌, ୨୦୨୦ ରେ କୋଭିଡ୍ ମହାମାରୀ ସଙ୍କଟ ସମୟରେ ଆରମ୍ଭ ହୋଇଥିଲା । ମିଶନ ଶକ୍ତି ଏସଏଚଜି ଏବଂ ବସ୍ତି ବାସିନ୍ଦା ସଂଘ ସହିତ ଜଡିତ ଗୋଷ୍ଠି ସହଭାଗିତା ମାଧ୍ୟମରେ ମୁକ୍ତା ବର୍ତ୍ତମାନ ରାଜ୍ୟର ୧୧୫ ପୌରାଞ୍ଚଳରେ କାର୍ଯ୍ୟକାରୀ ହୋଇଛି । ସର୍ବସାଧାରଣ ପାର୍କ, ପାଦଚଲା ଟ୍ରାକ୍‌, ମୁକ୍ତାକାଶ ଜିମ୍, ଶିଶୁଙ୍କ ଖେଳ ସୁବିଧା, ସହର ସୌନ୍ଦର୍ଯ୍ୟକରଣ, ବର୍ଷା ଜଳ ଅମଳ ସଂରଚନା ଇତ୍ୟାଦି ସହିତ ୫୨,୦୦୦ ରୁ ଅଧିକ ୱାର୍ଡ ସ୍ତରୀୟ ପ୍ରକଳ୍ପ ରାଜ୍ୟର ସମସ୍ତ ପୌରାଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ୬୨ ଲକ୍ଷ କର୍ମ ଦିବସ ସୃଷ୍ଟି ହୋଇଛି । ଏହି ଅନନ୍ୟ ଯୋଜନାରେ ଦୁଇଟି ବିଶ୍ୱ ସ୍ତରୀୟ ପୁରସ୍କାର ଯଥା ଗୁଆଙ୍ଗୋଝୁ ଇଣ୍ଟରନ୍ୟାସନାଲ ଆୱାର୍ଡ ୨୦୨୧ ଏବଂ ୨୦୨୨ ମସିହାରେ ସହରଗୁଡ଼ିକ ପାଇଁ ଡବ୍ଲୁଆରଆଇ ରସ ପୁରସ୍କାର ମିଳିଛି ।

Exit mobile version