Site icon ଆଜିକାଲି

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋରେ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ କରିବେ । ନୂଆ ରୂପରେ ସଜେଇ ହୋଇଛି ଉତ୍କଳମଣିଙ୍କ ପବିତ୍ର ଷଠିଘର ସମେତ ଐତିହ୍ୟ ଗ୍ରାମ ସୁଆଣ୍ଡୋ। ସେଠାରେ ଉତ୍କଳମଣି ଗୋପବନ୍ଧୁଙ୍କ ସର୍ବବୃହତ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଓ ଗୋପବନ୍ଧୁ ସଂଗ୍ରହାଳୟ ମଧ୍ୟ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ। ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ରୂପାନ୍ତରିତ ହୋଇଛି ସୁଆଣ୍ଡୋ ଐତିହ୍ୟ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ । ନବନିର୍ମିତ ସଂଗ୍ରହାଳୟ ଗୋପବନ୍ଧୁଙ୍କ ସ୍ୱାଧୀନତା ଆନ୍ଦୋଳନ, ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା, ଆଦର୍ଶ ଶିକ୍ଷା ପଦ୍ଧତି ପ୍ରଚଳନ, ଉତ୍ସର୍ଗୀକୃତ ସେବା ଏବଂ ମାନବିକ ମୂଲ୍ୟବୋଧର ବାର୍ତ୍ତା ପ୍ରଚାର କରୁଛି। ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହୋଇଛି। ଗୋପବନ୍ଧୁଙ୍କ ଷଠିଘର ସମେତ ପୈତୃକ ବାସଭବନର ପୁନରୁଦ୍ଧାର, ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ କରାଯାଇଛି। ପ୍ରାୟ ୭ଏକର ଜମିରେ ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ ଏବଂ ଶିଶୁ ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଛି । ସେଠାରେ ଥିବା ପ୍ରାଚୀନ ପୁଷ୍କରିଣୀର ପୁନରୁଦ୍ଧାର କରାଯାଇଛି। ଲୋକେଶ୍ୱର ମହାଦେବଙ୍କ ମନ୍ଦିର ପୁନଃନିର୍ମାଣ କରାଯାଇଛି। ପ୍ରାୟ ୧୦ ଫୁଟ୍‌ ଉଚ୍ଚର ପିଣ୍ଡି ଉପରେ ୧୫ ଫୁଟ୍‌ ଉଚ୍ଚତାର ଗୋପବନ୍ଧୁଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ଷଠିଘର ଏବଂ ସଂଗ୍ରହାଳୟରେ ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥା କରାଯାଇଛି। ସେସବୁ ସ୍ଥାନରେ କ୍ଲୋଜ୍‌ ସର୍କିଟ କ୍ୟାମେରା ସଂଯୋଗ କରାଯାଇଛି । ସୁଆଣ୍ଡୋ ଗ୍ରାମ ରାସ୍ତା ଉନ୍ନତିକରଣ ସହ ରାସ୍ତା ଆଲୋକୀକରଣ ଏବଂ ଭୂତଳ ବିଦ୍ୟୁତ୍‌ ସଂଯୋଗ କରାଯାଇଛି ।

ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ସୁଆଣ୍ଡୋ ବାରମାଣ ଗହିର ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସେଠାରୁ ସୁରକ୍ଷା ବଳୟ ମଧ୍ୟରେ ସୁଆଣ୍ଡୋ ଗ୍ରାମକୁ ଆସି ପ୍ରଥମେ ଲୋକେଶ୍ୱର ଦେବ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ଉତ୍କଳମଣିଙ୍କ ଜନ୍ମପୀଠକୁ ଲୋକାର୍ପଣ କରିବେ।

Exit mobile version