Site icon ଆଜିକାଲି

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସଫଳ କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ, କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ବିଭାଗୀୟ ଶାସନ ସଚିବ

ଭୁବନେଶ୍ୱର- ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନ ଠାରେ ଆୟୋଜିତ ହେବ । ଏ ପରିପ୍ରେକ୍ଷୀରେ ଲୋକସେବା ଭବନ କନଭେନସନ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହେଉଥିବା ଏହି ବିଶ୍ଵସ୍ତରୀୟ ସମ୍ମିଳନୀକୁ ସାଫଲ୍ଯ ମଣ୍ଡିତ କରିବାପାଇଁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ରହୁଥିବା ଓଡିଆ ଭାଇଭଉଣୀ ମାନଙ୍କ ସହୃଦୟ ସହଯୋଗ ନିମନ୍ତେ ବିଭାଗୀୟ ମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଭାଗୀୟ କମିଶନର ତଥା ଶାସନ ସଚିବ ସମ୍ମିଳନୀର ରୂପରେଖ, ଉଦ୍ଦେଶ୍ୟ ଓ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଅନେକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ-ପଦ୍ମଶ୍ରୀ ପ୍ରଫେସର ହରମାନ କୁଲ୍‌କେ, ପ୍ରଫେସର ଉୱେ ସ୍କୋଡା, ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ୍, ପ୍ରଫେସର ଆଣ୍ଟେ ସ୍କିମେଡ଼ିଚେନ୍ ଏବଂ ବହୁ ଜାତୀୟସ୍ତରର ବିଦ୍ୱାନ ଅଂଶଗ୍ରହଣ କରିବେ ।

ସମ୍ମିଳନୀ ଅବସରରେ ଓଡିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ । ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଭାଷା ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ ।

ଏଥିରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ । ଏଥିସହ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହେବ ।

ପ୍ରିଣ୍ଟିଂ ପ୍ରେସର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଏବଂ ଫଟୋ ସହିତ ପ୍ରଦର୍ଶିତ ହେବ । ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ବି ପ୍ରଦର୍ଶିତ ହେବ ।

ବର୍ତ୍ତମାନର ଯୁଗ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ । ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ସହିତ ପାଦ ମିଳାଇ ଓଡ଼ିଆ ଭାଷା ଓ ସାହିତ୍ୟ ଭବିଷ୍ୟତର ଆହ୍ୱାନର ଯଥାର୍ଥ ମୁକାବିଲା କରିବ । ଏହି ସମ୍ମିଳନୀ କେବଳ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବ ନାହିଁ ବରଂ ବୃହତ୍ତର ବିଶ୍ୱଆଡ଼କୁ ଓଡ଼ିଆ ଭାଷାର ପ୍ରଗତିକୁ ପ୍ରମାଣ କରିବ । ଏହା ଓଡିଆ ଭର୍ଚୁଆଲ୍ ଏକାଡେମୀ ପ୍ରଦର୍ଶନ, ଉଇକିପିଡ଼ିଆ ଏବଂ ଓଡ଼ିଆ ଫଣ୍ଟ ସମ୍ପର୍କରେ ଆଲୋକପାତ କରିବ । ଓଡ଼ିଆ ଭାଷାର ଡିଜିଟାଲ୍ ଯୁଗ ଅଭିମୁଖେ ତା’ର ଯାତ୍ରାକୁ ପ୍ରଦର୍ଶିତ କରିବ ।

ସମ୍ମିଳନୀର ଦ୍ବିତୀୟ ଦିନ ଅର୍ଥାତ ଫେବ୍ରୁଆରୀ ୪ ତାରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ସ୍କୁଲ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରୀ, ବସ୍ ଏବଂ ମୋବାଇଲ୍ ବୁକ୍‌ଆର୍ଟ ମାଧ୍ୟମରେ “ଆସ ପଢ଼ିବା” ର ଏକ ଧାରଣା ପ୍ରଦର୍ଶିତ ହେବ ।

ସମ୍ମିଳନୀରେ ଅତୀତର କୃତବିଦ୍ୟ ସାଧକମାନଙ୍କର ଅବଦାନକୁ ସ୍ମରଣକରି ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଓ ତୈଳଚିତ୍ର ପ୍ରଦର୍ଶିତ ହେବ । ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ । ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଚଳଚଞ୍ଚଳ କରିବାକୁ ଡାକ ପ୍ରକୋଷ୍ଠ ଏବଂ ସୂଚନା ଫଳକ ପ୍ରଦର୍ଶିତ ହେବ ।ଏକ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ୱ’ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାନିତ କରାଯିବ ।

ବୌଦ୍ଧିକ ଅଧିବେଶନ ଏବଂ ସମ୍ମିଳନୀ କାର୍ଯ୍ୟକ୍ରମଗୁଡିକ ଜୀବନ୍ତଭାବରେ ପ୍ରସାରିତ ହେବ ।

ଭୁବନେଶ୍ୱରର କିଟ୍‌ଠାରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡିଆ ଚଳଚ୍ଚିତ୍ର ଏବଂ ଥିଏଟର ମହୋତ୍ସବ ସହିତ ଓଡ଼ିଆ ସିନେମା ଓ ମଞ୍ଚର ଭୂମିକା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହେବ । ଏତଦ୍‌ବ୍ୟତୀତ ବିଡ଼ିଏ ଏବଂ ବିଏମ୍‌ସିଙ୍କ ଦ୍ୱାରା ଭୁବନେଶ୍ୱର ନଗରରେ ଏକାମ୍ର ଉତ୍ସବ ଆୟୋଜିତ ହେବ ।

ଭାଷା ସମ୍ମିଳନୀ ଓଡିଶାର ଲୋକମାନଙ୍କର ଏକ ସାମୂହିକ ପର୍ବ । ଏହି କାରଣରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ, ବିଶ୍ୱବିଦ୍ୟାଳୟ, କଲେଜ ଏବଂ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା ଆୟୋଜିତ ହୋଇଛି । ସମ୍ମିଳନୀ ସହିତ ସହଭାଗୀ ହେବା ପାଇଁ ଓଡିଆ ଭାଷା ଏବଂ ସାହିତ୍ୟିକ କାର୍ଯ୍ୟକଳାପରେ ଆଗ୍ରହୀ ଥିବା ସମସ୍ତ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ‘ଗ୍ରାମ ସଭା’ ଆୟୋଜନ କରାଯାଉଛି । ବ୍ଲକସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମଗୁଡ଼ିକ ପରିଚାଳିତ ହେବ । ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ବିଭାଗ, ହିତାଧିକାରୀ, ସଙ୍ଗଠନ, ବ୍ୟକ୍ତି ଏବଂ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ଫେବ୍ରୁଆରୀ ୩ ତାରିଖ ତଥା ଉଦଘାଟନୀ ଉତ୍ସବ ଅବସରରେ ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଓଡିଆ ଭାଇଭଉଣୀମାନେ ଏକକାଳୀନ “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି ।

Exit mobile version