Site icon ଆଜିକାଲି

ଜାଡ଼ରେ ଥରୁଛି ସାରା ଓଡ଼ିଶା, ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା

କରଞ୍ଜିଆ : ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା। ଶିମିଳିପାଳରେ ଏବେ ଘାସ ପଡ଼ିଆର ଶିଶିର ବୁନ୍ଦା ସବୁ ବରଫ ହୋଇଥିବା ଦେଖିବାକୁ ମିଳୁଛି। ଅସହ୍ୟ ଶୀତ ଯୋଗୁଁ ଶିମିଳିପାଳ ଭିତରେ ରହୁଥିବା ଗ୍ରାମବାସୀଙ୍କ ଅବସ୍ଥା ଏବେ କହିଲେ ନସରେ। ଥଣ୍ଡା ପ୍ରକୋପ ସାଙ୍ଗକୁ ଘନକୁହୁଡ଼ି ଲାଗି ରହୁଥିବାରୁ ରାତି ୩ରୁ ସକାଳ ୯ଟା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନି।

ସେହିପରି ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟାରେ ରାସ୍ତାଘାଟ ଶୂନସାନ ହେଇଯାଉଛି । ତେବେ ଏଭଳି ଜାଡରେ ବି ଶିମିଳପାଳର ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶୀତ ଦିନ ପାଇଁ ଏଠାରେ ଶୀତ ବସ୍ତ୍ର ଦୋକାନ ପଡ଼ିଛି । ଲୋକମାନେ ଶୀତ ବସ୍ତ୍ର କିଣିବା ପାଇଁ ଭିଡ଼ ଲାଗାଇଛନ୍ତି । ଅନ୍ୟପଟେ ଦୋକାନୀ ମାନଙ୍କର ବି ଭଲ ଦୁଇ ପଇସା ରୋଜଗାର ହେଉଛି ।

ସେପଟେ ୬ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ୧୫ ଡିଗ୍ରୀ ତଳେ ରହିଛି ୨୩ ସହରର ତାପମାତ୍ରା । ଟ୍ବିନସିଟିରେ ୧୩ ଡିଗ୍ରୀ ଛୁଇଁଲା ପାରଦ। କିରେଇରେ ସର୍ବନିମ୍ନ ୮.୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କନ୍ଧମାଳରେ ୭ରୁ ୯ ଡିଗ୍ରୀ ଭିତରେ ରହୁଛି ପାରଦ। ଭୁବନେଶ୍ବରରେ ୧୩.୨ ଡିଗ୍ରୀ ଥିବାବେଳେ କଟକରେ ୧୩.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି। ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୧୭ ତାରିଖରୁ ରାଜ୍ୟରେ ଥଣ୍ଡା କମିଯିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ୨୨ରୁ ୨୪ ତାରିଖ ଦୁଇଦିନ ଯାଏ ବର୍ଷା ସମ୍ଭାବନା ରହିଛି।

FacebookTwitterLinkedinWhatsapp
Exit mobile version