Site icon ଆଜିକାଲି

ପ୍ରଥମ ଓଡ଼ିଆ ଭାବେ ଫିକି ଇଣ୍ଡିଆର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର : ଜଣେ ଓଡ଼ିଆ ହୋଇଛନ୍ତି ଫିକିର ନୂଆ ସଭାପତି। ଶୁଭ୍ରକାନ୍ତ ପଣ୍ଡା ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଫିକିର ୯୫ ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ପ୍ରଥମ ଓଡ଼ିଆ ଭାବେ ଫିକିର ଜାତୀୟ ସଭାପତି ଭାବେ ଚୟନ ହେଇଛନ୍ତି ଶୁଭ୍ରକାନ୍ତ ପଣ୍ଡା। ବର୍ତମାନ ଫିକିର ବରିଷ୍ଠ ଉପସଭାପତି ଥିବା ଶୁଭ୍ରକାନ୍ତ ସଞ୍ଜୀବ ମେହେଟ୍ଟାଙ୍କ ସ୍ଥାନ ନେବେ ।

ଫିକି ଇଣ୍ଡିଆର ପରବର୍ତୀ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା । ସେ ପ୍ରଥମ ଓଡ଼ିଆ ଭାବେ ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ହୋଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ଫିକି ଇଣ୍ଡିଆର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଥିବା ଶୁଭ୍ରକାନ୍ତ ପଣ୍ଡା ଏବେ ଫିକିର ବରିଷ୍ଠ ଉପସଭାପତି ପଦରେ ଅଛନ୍ତି । ଶୁଭ୍ରକାନ୍ତ ସଭାପତି ଭାବରେ ସଞ୍ଜୀବ ମେହେଟ୍ଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ସୂଚନାଯୋଗ୍ୟ ଯେ, ୧୯୯୩ରେ ଶୁଭ୍ରକାନ୍ତ ଇମ୍ଫାରେ ଯୋଗ ଦେଇଥିବା ବେଳେ ବର୍ତମାନ ସେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ ଆନ୍ତର୍ଜାତିକ ଚାମ୍ବର ଅଫ୍ କମର୍ସର ଭାରତୀୟ ଚାପ୍ଟର ସଭାପତି (୨୦୧୭-୧୮) ଏବଂ ପ୍ୟାରିସ୍‌ସ୍ଥିତ ଇଂଟରନ୍ୟାସ୍‌ନାଲ୍ କ୍ରୋମିଅମ୍ ଡେଭଲପ୍‌ମେଂଟ୍ ଆସୋସିଏସନ୍ (ଆଇସିଡିଏ)ର ସଭାପତି (୨୦୧୩-୧୫)ର ଦାୟିତ୍ୱ ନିର୍ବାହ କରିଛନ୍ତି । ଆମେରିକାସ୍ଥିତ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟର କେଷ୍ଟ୍ରମ୍ ସ୍କୁଲ୍ ଅଫ୍ ବିଜିନେସ୍‌ରୁ ଫାଇନାନ୍ସ ଓ ଅପରେସନ୍ ମ୍ୟାନେଜ୍‌ମେଂଟରେ ସେ ସମ୍ମାନଜନକ ଡିଗ୍ରୀ ହାସଲ କରିଛନ୍ତି ।

Exit mobile version