Site icon ଆଜିକାଲି

ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ : ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ, ୬୨ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ବର – ପ୍ରସ୍ତୁତି ଶେଷ । ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ହେବ ମତଦାନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ କରାଯିବ। ବିଭିନ୍ନ ବୁଥରେ ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ପହଞ୍ଚି ଯାଇଛନ୍ତି ପୋଲିଂ ପାର୍ଟି।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସର୍ବମୋଟ ୭ ହଜାର ୩୦୩ଟି ମତଦାନ କେନ୍ଦ୍ର କରାଯାଇଥିବାବେଳେ ଏଥିରୁ ୬୦% ବୁଥ୍‌ରେ ୱେବକାଷ୍ଟିଂ କରାଯିବ। ବୁଥ୍‌ରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ମତଦାନ ଗ୍ରହଣ କରିବା ପାଇଁ ୧୪ଟି ଅତିରିକ୍ତ ଭୋଟଗ୍ରହଣ କେନ୍ଦ୍ର ହୋଇଛି। ୧୨୬୪ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୬୬୨ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ୧୫ଟି କେନ୍ଦ୍ରରେ କେବଳ ମହିଳା ପୋଲିଂ କର୍ମଚାରୀ ଏବଂ ୩୯ଟି ଭୋଟଗ୍ରହଣ କେନ୍ଦ୍ରରେ କେବଳ ଦିବ୍ୟାଙ୍ଗ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ୩୭ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨୮ଟି ବିଧାନସଭା ଆସନରେ ୨୪୩ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ସିଇଓ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ୩୦,୯୭,୫୨୭ ପୁରୁଷ ଭୋଟର ଓ ୩୧,୮୯,୦୬୦ ମହିଳା ଭୋଟର ଅଛନ୍ତି। ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

ଭୋଟରଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ଭୋଟର ଓ ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୭ ହଜାର ୩୦୩ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିରୁ ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ। ୧୨ ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି। ୬୦ ମତଦାନ କେନ୍ଦ୍ରରୁ ୱେବକାଷ୍ଟିଂ କରାଯିବ ବୋଲି ସିଇଓ ସୂଚନା ଦେଇଛନ୍ତି।

ଶୃଙ୍ଖଳିତ ଭୋଟ୍ ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସୁରକ୍ଷିତ ମତଦାନ ପାଇଁ ୧୦୪ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହେବେ। ୬୦ କମ୍ପାନୀ ସଶସ୍ତ୍ର ପୋଲିସ, ୩୧ ସିଆରପିଏଫ୍, ୬ ସିଆଇଏସଏଫ୍ ମୁତୟନ ରହିବେ ।

Exit mobile version