Site icon ଆଜିକାଲି

ସାପ ଧରାଳିଙ୍କ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ଗାଇଡ ଲାଇନ ଜାରି

ଭୁବନେଶ୍ୱର : ସାପ ଧରିବା ଏବଂ ଛାଡିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି । ସାପ ଉଦ୍ଧାରକାରୀ ଦଳ ଠିକ ସମୟରେ ପହଞ୍ଚୁନଥିବାରୁ ଲୋକେ ସାପକୁ ବାଡେଇ ମାରି ଦେଉଛନ୍ତି । ସାପ କାମୁଡାରେ ଗତ ୭ ବର୍ଷରେ ରାଜ୍ୟରେ ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କିଛି କ୍ଷେତ୍ରରେ ସାପ ଧରିବାକୁ ଯାଉଥିବା ବ୍ୟକ୍ତି ଆବଶ୍ୟକ ସରଞ୍ଜାମ ନେଉ ନଥିବାରୁ ସାପ କାମୁଡାର ଶୀକାର ହେଉଛନ୍ତି ।

ଜାରି କରାଯାଇଥିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଅନୁସାରେ ସାପ ଧରିବାକୁ ହେଲେ ପ୍ରଥମେ ସାପ ଧରାଳିଙ୍କୁ ପଞ୍ଜିକରଣ କରିବାକୁ ହେବ । ଜଙ୍ଗଲ ବିଭାଗ ସେମାନଙ୍କୁ ପ୍ରଶିକ୍ଷଣ ଦେବ । ସାପକୁ ଧରିବା ପରେ ତାକୁ ଜଙ୍ଗଲରେ ଛାଡିବାକୁ ପଡିବ । ଏକାଧିକ ସାପ ଉଦ୍ଧାର ହୋଇଥିଲେ ଗୋଟିଏ ସ୍ଥାନରେ ସାପ ନ ଛାଡିବାକୁ କୁହାଯାଇଛି । କିନ୍ତୁ ସାପ ଧରିବା ବେଳେ ସାପର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାପଧରାଳିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଟୁଲ କିଟ୍ ମଧ୍ୟ ପ୍ରଦାନ କରାଯିବ । ସାପ ଧରାଳିଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଲୋକେ ସାପ ଦେଖିବା ପରେ ତାହାର ଫଟୋ ପଞ୍ଜିକୃତ ସାପ ଧରାଳିଙ୍କ ପାଖକୁ ପଠାଇବେ । ସାପ ଦେଖିବା ପରେ କେତେ ସମୟ ପରେ ସେ ସେଠାରେ ପହଞ୍ଚିବେ ସାପ ଧରାଳି ତାହା ନିଶ୍ଚିତ କରିବେ । ଯଦି ସାପ କୌଣସି ଲୋକଙ୍କୁ କାମୁଡିଛି, ତେବେ ସାପ ଧରାଳି ଆଶୁ ଚିକିତ୍ସା କରିବା ସହ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିବେ । ସାପଧରାଳିଙ୍କୁ ପିଭିସି ପାଇପ, ବ୍ୟାଗ, ଫାଷ୍ଟ ଏଡ କିଟ୍, ଟର୍ଚ୍ଚ, ସାପ କାମୁଡା ବ୍ୟାଣ୍ଡେଡ୍, ସାପ ଧରା ହୁକ, ଫ୍ରେମ ଲାଗିଥିବା କପଡା ବ୍ୟାଗ୍ ଆଦି ସାମଗ୍ରୀ ଯୋଗାଇ ଦିଆଯିବ ।

Exit mobile version