Site icon ଆଜିକାଲି

ବୋଇତ ବନ୍ଦାଣ ଉତ୍ସବ ଏବଂ ବନ୍ଦର ଦିବସରେ ଯୋଗଦେଲେ ରାଷ୍ଟ୍ରପତି

ପାରାଦ୍ୱୀପ : ସୋମବାର ବନ୍ଦର ନଗରୀ ପାରାଦ୍ଵୀପ ଗସ୍ତରେ ପାରାଦ୍ବୀପ ପୋର୍ଟ ସ୍ଥିତ ୱେଟ ବେସିନ ଠାରେ ବୋଇତ ବନ୍ଦାଣ ଉତ୍ସବ ଏବଂ ବନ୍ଦର ଦିବସରେ ଯୋଗଦାନ କରିଛନ୍ତି ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ନବନିର୍ମିତ ହେଲି ପ୍ୟାଡ ଠାରେ ଅବତରଣ କରିବା ପରେ ପ୍ରମୁଖ ପାରମ୍ପରିକ ଲୋକନୃତ୍ୟ ସହିତ ତାଙ୍କୁ ପାଛୋଟି ଅଣାଯାଇଥିଲା। ଏହାପରେ ସେ ପୂର୍ବରୁ ସୁସଜ୍ଜିତ ସାଧବ ସାଧବାଣୀଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଶାର ଅସ୍ମିତାର ପ୍ରତୀକ ବୋଇତକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। 

ଔପଚାରିକତାର ଦୃଷ୍ଟାନ୍ତ ସ୍ବରୂପ ତଟରକ୍ଷୀ ଜାହାଜ ”ଅମୋଘ” ମାଧ୍ୟମରେ ବନ୍ଦର ମଧ୍ୟକୁ ଯାତ୍ରା କରିଥିଲେ। ପରେ ଏହି ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇ ଯୁବପିଢ଼ିଙ୍କୁ ଯୋଗ୍ୟତା ଅନୁସାରେ ଚାକିରି କରିବା ସହ, ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଆଗଭର ହେବାକୁ ଉପଦେଶ ଦେଇଥିଲେ। ସେ କହିଥିଲେ,କଥାରେ ଅଛି, “ବାଣିଜ୍ୟେ ବସତେ ଲକ୍ଷ୍ମୀଃ”। ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନୋନିବେଶ କରନ୍ତୁ। ଏହା ଦ୍ୱାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ। ସମୁଦ୍ର ସବୁବେଳେ ସୃଜନଶୀଳ। ତେଣୁ ଭାରତୀୟ ଉପଦ୍ୱୀପର ବାଣିଜ୍ଯ ବ୍ୟବସାୟ ଅର୍ଥନୈତିକ ଏବଂ ଆନ୍ତର୍ଜାତିକ ସମ୍ପର୍କର ସ୍ରଷ୍ଟା ସମୁଦ୍ର ବୋଲି ସେ ଅଭିହିତ କରିଥିଲେ। 

ପାରାଦ୍ୱୀପ ବନ୍ଦର ଆଜି ବିଶ୍ଵ ରେ ଶ୍ରେଷ୍ଠ ବନ୍ଦର ମଧ୍ୟରେ ଅନ୍ୟତମ। ସାମଗ୍ରୀ ପରିବହନ ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ, ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ପାରାଦ୍ବୀପ ବନ୍ଦରକୁ ସାଗର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିପାଇଁ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବନ୍ଦରର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସଙ୍ଗେସଙ୍ଗେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଦରକାର ବୋଲି କହିଥିଲେ। ଏ ଦିଗରେ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ଉନ୍ନୟନ ତଥା ବନ୍ଦର ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ ତ୍ବରାନ୍ବିତ ହେବ। 

ଗ୍ଲୋବାଲ ମାରିଟାଇମ ଇଣ୍ଡିଆ ସମିଟ ୨୦୨୩ ରେ ପାରାଦ୍ବୀପ ବନ୍ଦରକୁ ପୋର୍ଟ ଏବଂ ଅପରେସନାଲ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ଆୟୋଜିତ ଏହି ଭବ୍ୟ ବୋଇତ-ବନ୍ଦାଣ ଉତ୍ସବରେ ଯୋଗ ଦେଇ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ। ଏହାପରେ ରାଷ୍ଟ୍ରପତି ୨୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ର ଶୁଭ ଉଦଘାଟନ କରିଥିଲେ। ଏହି ପାର୍କ ପାରାଦ୍ବୀପ ବନ୍ଦରର ସ୍ବଚ୍ଛ ପଣ୍ୟ ତଥା କଣ୍ଟେନର କାର୍ଯ୍ୟକ୍ରମକୁ ଦ୍ବିଗୁଣିତ କରିବା ସହ ୨୫୦ ଜଣଙ୍କୁ ପ୍ରତ୍ୟକ୍ଷ ଏବଂ ୫୦୦ ଜଣଙ୍କୁ ପରୋକ୍ଷ ନିଯୁକ୍ତି ଯୋଗାଇ ସାରିଛି। ଏହାସହିତ ବନ୍ଦର ଟାଉନ ସିପ୍ ର ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ରାଷ୍ଟ୍ରପତି ଏକ ନୂତନ ଜଳାଶୟ ଏବଂ ଜଳ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୫୦ ନିୟୁତ ଲିଟର କ୍ଷମତା ସମ୍ପନ୍ନ ଏହି ଜଳାଶୟ ଦ୍ଵାରା ଦୈନିକ ୧୬ ନିୟୁତ ଲିଟର ଜଳ ଉତ୍ପାଦିତ ହୋଇପାରିବ। ପରେ ରାଷ୍ଟ୍ରପତି ଏକ ଭି ଟି ଏମ୍ ଆଇ ଏସ୍ କ୍ଷମତା ସମ୍ପନ୍ନ ସିଗନାଲ୍ ଷ୍ଟେସନ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଯାହା ପଣ୍ୟ ଜାହାଜର ସୁରକ୍ଷିତ ଚଳାଚଳରେ ସହାୟକ ହେବ।

ଏହି ଉତ୍ସବରେ ଯୋଗଦେଇ ରାଜ୍ୟପାଳ ରଘୁବର ଦାସ ଓଡ଼ିଶାର ନୌବାଣିଜ୍ୟର ପରମ୍ପରାକୁ ଶ୍ରେଷ୍ଠ ବୋଲି ଅଭିହିତ କରିଥିଲେ। ପ୍ରାୟ ୪୮୦ କିମି ଦୀର୍ଘ ଓଡ଼ିଶାର ତଟରେଖା ଦେଶର ସମୃଦ୍ଧିରେ ସହାୟକ ଏବଂ ଐତିହ୍ୟର ମୂକସାକ୍ଷୀ ପାରାଦ୍ବୀପ ବନ୍ଦର ଏହି ପରମ୍ପରାକୁ ବଜାୟ ରଖିବ ବୋଲି କହିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳଶକ୍ତି ମନ୍ତ୍ରଣାଳୟ ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ, କେନ୍ଦ୍ର ସରକାରଙ୍କ, ଜାହାଜ ଚଳାଚଳ, ଜଳ ମାର୍ଗ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ଯଶୋୱନ୍ତ ନାୟକ, କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳ ସମ୍ପଦ, ବାଣିଜ୍ୟ, ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇଥିଲେ। 

ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ପାରାଦ୍ବୀପ ବିଧାୟକ ସମ୍ବିତ୍ ରାଉତରାୟ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରି, ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଉତ୍ସବରେ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହରନାଦ ସ୍ଵାଗତ ଭାଷଣ ଦେବାସହ ପାରାଦ୍ଵୀପ ବନ୍ଦରର ଅଭୂତପୂର୍ବ ସଫଳତା ବିଷୟରେ କହିଥିଲେ। ପାରାଦ୍ୱୀପ ବନ୍ଦର ୧୩୫.୩୬ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଆସନ୍ତା ୨୦୪୭ ମସିହା ପର୍ଯ୍ୟନ୍ତ ବନ୍ଦରର କ୍ଷମତା ୫୦୦ ନିୟୁତ ମେଟ୍ରିକ ଟନ୍ କୁ ବୃଦ୍ଧି କରାଯିବା ସହ ସମଗ୍ର ବିଶ୍ୱରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିବ। 

ପରେ ରାଷ୍ଟ୍ରପତି ସ୍ଥାନୀୟ ନେହେରୁ ବଙ୍ଗଳା ଠାରେ ମତ୍ସ୍ୟଜୀବୀଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ। ସେ ମତ୍ସ୍ଯଜୀବୀଙ୍କୁ ନିଜର ଜୀବିକା ନିର୍ବାହ ସହିତ ଦେଶର ଅର୍ଥନୈତିକ ବିକାଶରେ ସହାୟକ ହେଉଥିବାରୁ ସାଧୁବାଦ ଜଣାଇବା ସହ ପରିବର୍ତ୍ତିତ ଜଳବାୟୁ ମଧ୍ୟରେ ମାଛ ଧରା ବନ୍ଦର ବିକାଶ ଏବଂ ମତ୍ସ୍ୟ ଉତ୍ପାଦନ ବିକାଶ ନିମନ୍ତେ ସମୁଦ୍ର ଏବଂ ଏହାର ପରିବେଶକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ କୋଷ୍ଟାଲ କମ୍ୟୁନିଟି ଡେଭଲପମେଣ୍ଟ, ବନ୍ଦର ପୋତାଶ୍ରୟ ମରାମତି ଆଦି କାର୍ଯ୍ୟକ୍ରମ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଅନ୍ୟତମ। କେନ୍ଦ୍ର ସରକାର ପାରାଦ୍ଵୀପ ବନ୍ଦର ଉନ୍ନୟନ ପାଇଁ ୧୦୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଯାହା ବନ୍ଦରର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଉତ୍ସବରେ ପାରାଦ୍ଵୀପ ବନ୍ଦରର ସମସ୍ତ କର୍ମକର୍ତ୍ତା, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣ, ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

Exit mobile version