Site icon ଆଜିକାଲି

ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର : ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ, ଦୋଷୀକୁ ଦଣ୍ଡ ବିଧାନ କରାଯିବ ବୋଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାତାଳରେ ଥିଲେ ବି ଦୋଷୀଙ୍କୁ ଖୋଜି ବାହାର କରି ଦଣ୍ଡବିଧାନ କରାଯିବ। ସେହିପରି ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମକୁ ଐତିହାସିକ ବିଜୟ ମିଳିଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି। ଏକ ନୂଆ ଓଡ଼ିଶା ଗଠନର ଦାୟିତ୍ୱ ଆମମାନଙ୍କୁ ମିଳିଛି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଯେଉଁମାନଙ୍କ ବଳିଦାନ ପାଇଁ ଏହା ସମ୍ଭବ ହୋଇଛି, ସେମାନଙ୍କୁ ଶ୍ରେୟ ଦେଉଛି।

ସଂକଳ୍ପ ପତ୍ରର ପ୍ରତି କଥାକୁ ପାଳନ କରିବେ ସରକାର। ବିଜେପି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇ ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ସବୁ ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବାର ପ୍ରତିଶ୍ରୁତି ଦେଇଛୁ। ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ। ଆଗାମୀ ୫ ବର୍ଷ ଦିନରାତି ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ ଦଳୀୟ ବିଧାୟକ ଓ ନେତାଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ୍ ଦାୟିତ୍ୱ ଦେଇଥିବାରୁ ଶ୍ରୀ ସାମଲ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Exit mobile version