Site icon ଆଜିକାଲି

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ

ଭୁବନେଶ୍ଵର : ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟିର ସଚିବ ସଞ୍ଜୟ ମିତ୍ତଲ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତୀୟ ଆଲୋଚନା କରାଯାଇଥିଲା ।

ସଡ଼କ ସୁରକ୍ଷା ଦିଗରେ ଓଡ଼ିଶା ସରକାର ଗ୍ରହଣ କରୁଥିବା ପଦକ୍ଷେପକୁ ନେଇ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ ମିତ୍ତଲ ସନ୍ତୋଷ ପ୍ରକାଶ କରିଛନ୍ତି । ସଡ଼କ ସୁରକ୍ଷା ଦିଗରେ ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ ରହିଛି ବୋଲି ପ୍ରକାଶ କରିଛନ୍ତି । ହେଲେ ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନଏଚଏଆଇ)ର କେତେକ କ୍ଷେତ୍ରରେ ଉଦାସୀନ ମନୋଭାବକୁ ସଚିବ ଶ୍ରୀ ମିତ୍ତଲ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏ ଦିଗରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ ।

ମୁଖ୍ୟ ଶାସନ ସଚିବ ଜେନା ପରିବହନ କମିଶନରଙ୍କୁ ପରାମର୍ଶ ଦେଇ ଏକ ଅଭିଜ୍ଞ ଟିମ୍ ଦ୍ୱାରା ବ୍ଲକସ୍ତରରୁ ସହରାଞ୍ଚଳ ପର୍ଯ୍ୟନ୍ତ ରୋଡ ଇଞ୍ଜିନିୟରିଂ ଉପରେ ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଅଟୋ ଚାଳକମାନଙ୍କୁ ସଚେତନ କରିବା ଏବଂ ଭୁବନେଶ୍ୱରରେ ଅଟୋ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉପରେ ସେ କହିଛନ୍ତି । ସେହିପରି ଅଭିଭାବକ-ଶିକ୍ଷକ ଦିବସରେ ବିଶେଷଜ୍ଞଙ୍କ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ସଂବନ୍ଧୀୟ ସଚେତନତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାସ୍ତା ପାର୍ଶ୍ୱ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟ୍ରାଫିକ୍ ନିୟନ୍ତ୍ରଣ କେନ୍ଦ୍ର ସଂପର୍କରେ ପ୍ରଶିକ୍ଷଣ ଦିଆଯିବ।, ସଡ଼କ ପାର୍ଶ୍ୱରେ ଥିବା ଗ୍ରାମର ଅତି କମରେ ୧୦ ଜଣ ଯୁବକ ଯୁବତୀମାନଙ୍କୁ ରେଡକ୍ରସ/ସେଣ୍ଟ ଜନ୍ ପ୍ରାଥମିକ ଚିକିତ୍ସା ଦଳ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ, ଯାହା ଦ୍ୱାରା ଦୁର୍ଘଟଣାରେ ପୀଡିତମାନଙ୍କର ଉପଯୁକ୍ତ ଯତ୍ନ ନିଆଯିବ । ଉତ୍ସାହିତ କରିବା ପାଇଁ ସଡ଼କ ସୁରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବାର୍ଷିକ ସମ୍ମିଳନୀ କରାଯିବା ସହ ସଚେତନତା ସୃଷ୍ଟି କରାଯିବା ସଂପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।

Exit mobile version