Site icon ଆଜିକାଲି

ଆଗାମୀ ତିନି ଦିନି ଯାଏଁ ପାଗ ଶୁଖିଲା

ଭୁବନେଶ୍ୱର : ପାଗରେ ସାମାନ୍ୟ ପରିବର୍ତ୍ତନ । ଆସନ୍ତା ୧୮ ତାରିଖ ଯାଏ ପାଗ ଶୁଖିଲା ରହିବ । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ବର୍ଷାର ଆଦୌ ସମ୍ଭାବନା ନାହିଁ । ତେବେ ୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ଅବପାତ ରୂପ ନେବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ ଦିଆଯାଇଛି ।

୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶୁକ୍ରବାର ଦିନ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି। ଏହାର ପ୍ରଭାବ କ’ଣ ରହିବ, ଏ‌ହା କେତେମାତ୍ରାରେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ କିମ୍ବା ଏହାର ଗତି କେଉଁ ଦିଗରେ ରହିବ, ସେ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ମୌସୁମୀ ଯଦି ରାଜ୍ୟରୁ ଆସନ୍ତା ୨୧ ତାରିଖ ଭିତରେ ଫେରିଯାଏ, ଓଡ଼ିଶାକୁ ବାତ୍ୟା ଆଶଙ୍କା ରହୁଛି ବୋଲି କିଛି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶୁକ୍ରବାର ଦିନ ଭୁବନେଶ୍ବରରେ ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ୨୬.୮ ମିମି ବ‌ର୍ଷା, ଚାନ୍ଦବାଲିରେ ୭.୪ମିମି, ଯାଜପୁରରେ ୮ ମିମି, ନବରଙ୍ଗପୁରରେ ୬ ମିମି ବର୍ଷା ହୋଇଯାଇଛି। ଆଜି ମଧ୍ୟ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲ‌ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଜି ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ ଓ ମଝିରେ ମଝିରେ ବର୍ଷା ହୋଇପାରେ।

Exit mobile version