Site icon ଆଜିକାଲି

ସୁବର୍ଣ୍ଣରେଖା ନଦୀରେ ବଡ ବନ୍ୟା ଆଶଙ୍କା

ଭୁବନେଶ୍ବର : ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଝାଡଖଣ୍ଡ ଗାଲୁଡ଼ିହି ବ୍ୟାରେଜରୁ ଅଧିକ ପାଣି ଛଡାଯାଇଛି। ଶନିବାର ରାତି ୮ଟାରେ ୧୪ଟି ଗେଟ୍ ଦେଇ ସାଢେ ୩ଲକ୍ଷ କ୍ୟୁସେକ ଜଳ ଛାଡିଛି। ଏହାର ପ୍ରଭାବରେ ସୁବର୍ଣ୍ଣରେଖା ନଦୀରେ ଏକ ବଡ଼ ବନ୍ୟା ଆସିବା ଏକପ୍ରକାର ନିଶ୍ଚିତ ହୋଇଛି। ଏ ନେଇ ବାଲେଶ୍ବର ଓ ମୟୁରଭଞ୍ଜ ଜିଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି। ମୁକାବିଲା ପାଇଁ ଅତିିରିକ୍ତ ୨ଟି ଲେଖାଏଁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି। ୮ଟି ଅଗ୍ନିଶମ ବାହିନୀ ଟିମ୍ ମଧ୍ୟ ବାଲେଶ୍ବର ଜିଲାକୁ ତତ୍କାଳ ପଠାଯାଇଛି। ସୁବର୍ଣ୍ଣରେଖା ନଦୀର ୩୦ରୁ ଊର୍ଦ୍ଧ୍ବ ସ୍ଥାନରେ ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ନଦୀତଟ ବାସୀଙ୍କ ଆଖିରୁ ନିଦ ହଜିଯାଇଛି। ତଳିଆ ଅଞ୍ଚଳରୁ ୧୨ଶହ ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ଗାଲୁଡ଼ିହି ବ୍ୟାରେଜରେ ଖୋଲା ଯାଇଥିବା ଗେଟଗୁଡ଼ିକ ହେଉଛି ୩, ୪, ୫, ୬, ୭, ୯, ୧୦, ୧୧, ୧୨, ୧୪ ଓ ୧୫। ଏହି ୧୨ଟି ଗେଟ୍ ଦେଇ ଗୋଟିଏ ପିଛା ୪.୮୦ ମିଟର ଓ ଗେଟ୍ ନମ୍ବର ୧୬ ଏବଂ ୧୭ ଦେଇ ୬.୩୦ ମିଟର ପାଣି ପ୍ରବାହିତ ହେଉଛି। ମୋଟ ୧୪ ଗେଟ୍ ଦେଇ ନଦୀ ଭିତରକୁ ୯୪୩୭.୩୦୩ କ୍ୟୁମେକ ପାଣି ନିଷ୍କାସିତ ହେଉଛି। ଏହି ଗେଟଗୁଡ଼ିକୁ ଖୋଲିବାରୁ ମାତ୍ର କିଛି ସମୟ ମଧ୍ୟରେ ବ୍ୟାରେଜର ଜଳପତ୍ତନ ୯୨.୧୦ ମିଟର ଥିବାବେଳେ ତାହା ୯୧.୩୦ ମିଟରକୁ ହ୍ରାସ ପାଇଛି। ବ୍ୟାରେଜରୁ ନିଷ୍କାସିତ ହେଉଥିବା ଏହି ପାଣି ଆଜି ରାତି ସୁଦ୍ଧା ନିମ୍ନ ଅବବାହିକାରେ ପହଞ୍ଚିବ ବୋଲି ସୁବର୍ଣ୍ଣରେଖା କଣ୍ଟ୍ରୋଲ ରୁମ ସୂଚନା ଦେଇଛି। ଫଳରେ ଆସନ୍ତାକାଲି ସୁବର୍ଣ୍ଣରେଖା ନଦୀର ନିମ୍ନ ଅବବାହିକା କୁହାଯାଉଥିବା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବ ବୋଲି କୁହାଯାଇଛି। ସୁବର୍ଣ୍ଣରେଖା ବନ୍ୟା ମୁକାବିଲା ପାଇଁ ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

Exit mobile version