Site icon ଆଜିକାଲି

ଭାରତୀୟ ଟି-୨୦ ଦଳରେ ହେବ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିବେ ସିନିୟର ଖେଳାଳି


ଆଡିଲେଡ୍: ଆଇସିସି ଇଭେଣ୍ଟରୁ ପୁଣି ଥରେ ଖାଲି ହାତରେ ଫେରିବା ପରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଆସନ୍ତା ୨୪ ମାସ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ପରି ସିନିୟର ଖେଳାଳିମାନଙ୍କୁ ଧୀରେ ଧୀରେ ବିଦା କରାଯିବ ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି । ଏହି ଛୋଟ ଫର୍ମାଟରେ ଅଶ୍ୱିନ୍ ଏବଂ ଦୀନେଶ କାର୍ତ୍ତିକ ସମ୍ଭବତଃ ନିଜ ଶେଷ ମ୍ୟାଚ୍ ଖେଳି ସାରିଛନ୍ତି । କିନ୍ତୁ କୋହଲି ଏବଂ ରୋହିତଙ୍କ ପରି ଖେଳାଳିଙ୍କୁ ନିଜ ଟି-୨୦ ଆନ୍ତର୍ଜାତୀୟ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ କହିବ ବିସିସିଆଇ ।

ଟି-୨୦ ବିଶ୍ୱକପ ସେମିଫାଇନାଲରେ ଦଳର ଲଜ୍ଜାଜନକ ପରାଜୟ ପରେ ରୋହିତଙ୍କୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ସାନ୍ତ୍ୱନା ଦେଇଥିଲେ ଏବଂ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ସମ୍ମୁଖୀନ ହୋଇଥିଲେ। ପରବର୍ତ୍ତୀ ଟି-୨୦ ବିଶ୍ୱକପକୁ ଆଉ ଦୁଇ ବର୍ଷ ବାକି ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଏକ ନୂଆ ଦଳ ପ୍ରସ୍ତୁତ କରାଯିବ ବୋଲି ଭାରତୀୟ ବୋର୍ଡ ସୂତ୍ରରୁ ପ୍ରକାଶ ।

ଜଣେ ବିସିସିଆଇ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ବିସିସିଆଇ କେବେବି କାହାକୁ ଅବସର ନେବାକୁ କହି ନଥାଏ। ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି | କିନ୍ତୁ ୨୦୨୩ ରେ ସୀମିତ ସଂଖ୍ୟକ ଟି-୨୦ ମ୍ୟାଚକୁ ବିଚାର କଲେ ଅଧିକାଂଶ ସିନିୟର ଖେଳାଳି ଦିନିକିଆ ଏବଂ ଟେଷ୍ଟ ମ୍ୟାଚ୍ ଉପରେ ଧ୍ୟାନ ଦେବେ | ଅଧିକାଂଶ ସିନିୟର ଖେଳାଳିଙ୍କୁ ଆସନ୍ତା ବର୍ଷ ଟି-୨୦ରେ ଦେଖିବାକୁ ମିଳିନପାରେ ।

ଅନ୍ୟପକ୍ଷରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ କୋହଲି ଏବଂ ରୋହିତଙ୍କ ପରି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ଉପରେ ଆଲୋଚନା କରିବା ଏବେ ଠିକ୍ ହେବ ନାହିଁ । ଦ୍ରାବିଡ କହିଥିଲେ, ଏହି ଖେଳାଳିମାନେ ଆମ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି | ଆମକୁ ଏ ବିଷୟରେ ଚିନ୍ତା କରିବାକୁ ଆହୁରି ସମୟ ଅଛି।

ଭାରତର ଭବିଷ୍ୟତ ଗସ୍ତ କାର୍ଯ୍ୟସୂଚୀରୁ ସ୍ପଷ୍ଟ ଯେ ଆସନ୍ତାବର୍ଷ ଦଳ‌ ଅଧିକ ଟି-୨୦ ଖେଳିବନି । ତେବେ ସ୍ବଦେଶରେ ୫୦ ଓଭର ବିଶ୍ୱକପ ପୂର୍ବରୁ ଭାରତ ଅତି କମରେ ୨୫ଟି ଦିନିକିଆ ମ୍ୟାଚ୍ ଖେଳିବ | ଭାରତ ଆସନ୍ତାବର୍ଷ କେବଳ ୧୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ । ଆସନ୍ତା ସପ୍ତାହରେ ନ୍ୟୁଜିଲାଣ୍ଡରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆରମ୍ଭ ହେବ | ଦଳରେ ଶୁଭମାନ ଗିଲଙ୍କୁ ସାମିଲ କରାଯାଇଛି । ଗିଲ୍ ଏବଂ ରିଷଭ ପନ୍ତ (ଉପଅଧିନାୟକ) ଇନିଂସ ଓପନ୍ କରିପାରନ୍ତି ।‌‌ଏଭଳି ସ୍ଥଳେ ପାୱାରପ୍ଲେ ବ୍ୟାଟିଂ ସମୀକରଣ ବଦଳିବ ବୋଲି ଆଶା କରାଯାଉଛି ।

ପ୍ରତିଭାବାନ ପୃଥ୍ବୀ ଶ’ଙ୍କୁ ଭୁଲିଯିବା ଠିକ୍ ହେବନି, ଯିଏକି ଦ୍ରାବିଡଙ୍କ କାର୍ଯ୍ୟକାଳରେ ବାରମ୍ବାର ଉପେକ୍ଷିତ ହୋଇଛନ୍ତି । ରୋହିତ ଏବଂ କୋହଲି ବହୁତ ବଡ଼ ନାମ । ବିସିସିଆଇ ଉଭୟଙ୍କୁ ନିଜ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ କହିପାରେ | ରୋହିତଙ୍କୁ ବର୍ତ୍ତମାନ ୩୫ ବର୍ଷ ଏବଂ ଦୁଇ ବର୍ଷ ମଧ୍ୟରେ ୩୭ ବର୍ଷ ବୟସରେ ସେ ପରବର୍ତ୍ତୀ ଟି-୨୦ ବିଶ୍ୱକପରେ ନେତୃତ୍ୱ ନେବେ ବୋଲି ଆଶା କରାଯାଉନି । ଚଳିତ ଟି-୨୦ ବିଶ୍ୱକପ ପାଇଁ କାର୍ତ୍ତିକଙ୍କୁ ଏକ ସ୍ୱଳ୍ପକାଳୀନ ଭିତ୍ତିରେ ଫିନିଶର ଭୂମିକା ଦିଆଯାଇଥିଲା। ସ୍ପିନର ଅଶ୍ୱିନ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିଲେ। ଅଶ୍ବିନ ୬ଟି ମ୍ୟାଚ୍‌ରେ ୬ଟି ୱିକେଟ୍ ନେଇଥିଲେ । ସେଥିମଧ୍ୟରୁ ଜିମ୍ବାୱେ ଭଳି ଦୁର୍ବଳ ଦଳ ବିପକ୍ଷରେ ସେ ତିନିଟି ଓ୍ବିକେଟ୍ ନେଇଥିଲେ। ତାଙ୍କ ଇକୋନୋମି ହାର (୮.୧୫) ମଧ୍ୟ ବେଶ୍ ଥିଲା | ଏବେ ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଅଧିକ ସୁଯୋଗ ଦିଆଯିବ ।

ଏକମାତ୍ର କଠୋର ନିଷ୍ପତ୍ତି ହେଲା ଲୋକେଶ ରାହୁଲ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୨୦.୭୫ରୁ ସ୍ପଷ୍ଟ ଯେ ଭାରତୀୟ ଦଳରେ ସବୁକିଛି ଠିକ୍ ନାହିଁ। ଟପ୍ ଦଳମାନଙ୍କ ମଧ୍ୟରେ ରାହୁଲ ହେଉଛନ୍ତି ଏକମାତ୍ର ଓପନର୍ ଯିଏକି ଦୁଇଟି ପ୍ରଥମ ଓଭର ଖେଳିଛନ୍ତି ଏବଂ ଏକ ବଡ଼ ମ୍ୟାଚ୍‌ରେ କୌଣସି ଟପ୍ ଦଳ (୪ ବନାମ ପାକିସ୍ତାନ, ୯ ବନାମ ଦକ୍ଷିଣ ଆଫ୍ରିକା, ୯ ବନାମ ଇଂଲଣ୍ଡ) ବିପକ୍ଷରେ ଦୁଇ ଅଙ୍କ ଛୁଇଁପାରି ନାହାଁନ୍ତି।

Exit mobile version