Site icon ଆଜିକାଲି

ରିକ୍ସା ଚାଳକ ସଂଘର ତ୍ରୟୋଦଶ ସମ୍ମିଳନୀ

ବାଲେଶ୍ୱର : ରିକ୍ସା ଚାଳକ ସଂଘର ତ୍ରୟୋଦଶ ସମ୍ମିଳନୀ ଓ ୪୫ ତମ ବାର୍ଷିକ ଅଧିବେଶନ ରବିବାର ପୂର୍ବାହ୍ନରେ ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଲାଲ୍ ପତାକାକୁ ଉତ୍ତୋଳନ କରିଥିଲେ ଡାକକର୍ମଚାରୀ ସଂଘର ନେତା ଅକ୍ଷୟ କୁମାର ତ୍ରିପାଠୀ । ସଂଘର ସଭାପତି ୰ ଅରୁଣ ଦେ’ଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନକରି ପ୍ରତିରକ୍ଷା କର୍ମଚାରୀ ସଂଘ ସମନ୍ୱୟ ସମିତିର ସଭାପତି ଜଗଦୀଶ ବାରିକ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ତଥା ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଟି.ୟୁ.ଏ.ସି.ସି.ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଏ.ଆଇ.ଟି.ୟୁ.ସିର ଜିଲ୍ଲା ସହ-ସଂପାଦକ ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦେଇ ‘ସମାଜର ତଳଶ୍ରେଣୀର ମଣିଷମାନେ ହିଁ ରିକ୍ସା ଚଳାନ୍ତି’ ବୋଲି କହିଥିଲେ ଓ ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ର ବା ରାଜ୍ୟ ସରକାର କୌଣସି ଆଇନ୍ ପ୍ରଣୟନ କରିନଥିବାରୁ ସେମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ସଂଘର ସାଧାରଣ ସମ୍ପାଦକ ସେକ୍ ସଲ୍ଲାଉଦ୍ଦିନ୍ ସମସ୍ତ ପ୍ରତିନିଧି ଓ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ରିକ୍ସା ଚାଳକମାନଙ୍କର ସମସ୍ୟା ଉପରେ ଆଲୋକପାତ କରିଥିଲେ । ରିକ୍ସା ଚାଳକମାନଙ୍କୁ ୫୦ବର୍ଷ ପରେ ବାର୍ଦ୍ଧକ୍ୟଭତ୍ତା, ଭୂମିହୀନଙ୍କୁ ଜମିର ପଟ୍ଟା ଓ ପକ୍କାଘର, ରିକ୍ସାଷ୍ଟାଣ୍ଡ୍‌ମାନଙ୍କରୁ ଜବରଦଖଲ ଉଚ୍ଛେଦ ପ୍ରଭୃତି ଦାବି ସେ ଉପସ୍ଥାପିତ କରିଥିଲେ । ରିକ୍ସା ଚାଳକମାନଙ୍କ ମଧ୍ୟରୁ ସେକ୍ ଜସ, ସର୍ବେଶ୍ୱର ହାଁସଦା, ରାଧାକାନ୍ତ ବେହେରା, ସୁଧାଂଶୁ ମୈକାପ୍ ପ୍ରମୁଖ ବାର୍ଦ୍ଧକ୍ୟ ଅବସ୍ଥାରେ ଥିବା ରିକ୍ସାଚାଳକମାନଙ୍କର କରୁଣ କାହାଣୀ ବର୍ଣ୍ଣନା କରିଥିଲେ । ଶ୍ୟାମସୁନ୍ଦର ଜେନା ସଂଘର ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିଥିଲେ ।
ସମ୍ମିଳନୀର ସମସ୍ତ ଅଧିବେଶନରେ ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଶାନ୍ତନୁ ଦାସ ନୂତନ କର୍ମକର୍ତ୍ତାମାନଙ୍କର ନାମ ପାଠ କରିଥିବାବେଳେ ହିସାବରକ୍ଷକ ଶ୍ୟାମସୁନ୍ଦର ଜେନା ଆୟବ୍ୟୟର ବିବରଣୀ ପାଠ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ୰ ଅରୁଣ ଦେ’ଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଉପସ୍ଥିତମାନେ୨ମିନିଟ୍ ଦଣ୍ଡାୟମାନ ହୋଇଥିଲେ । ଅଫିସ୍ ସଂପାଦକ ଉମାକାନ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆସନ୍ତା ବର୍ଷ ପାଇଁ ସଭାପତି ଗୌରାଙ୍ଗ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଶାନ୍ତନୁ ଦାସ, ଉପସଭାପତି ଜୟନ୍ତ ଦାସ, ଆଶୁତୋଷ ପରିଡ଼ା ଓ ଗୌତମ ମହାନ୍ତି, ସାଧାରଣ ସମ୍ପାଦକ ସେକ୍ ସଲ୍ଲାଉଦ୍ଦିନ୍‌, ହିସାବରକ୍ଷକ ଶ୍ୟାମସୁନ୍ଦର ଜେନା ଓ କୋଷାଧ୍ୟକ୍ଷ ଭାବେ ଉମାକାନ୍ତ ଜେନାଙ୍କୁ ନିର୍ବାଚିତ କରାଯାଇଛି । ବାଲେଶ୍ୱର ସହରରେ ରିକ୍ସା ଚଳାଉଥିବା ପ୍ରାୟ ୨୦୦ ରିକ୍ସାଚାଳକ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ।

Exit mobile version