ଭୁବନେଶ୍ୱର : ଆଜିଠୁ ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩ ଆରମ୍ଭ ହେଉଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ତିନିଦିନିଆ ଏହି କନକ୍ଲେଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପଲିଟେକନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଏଥିରେ ଭାଗନେବେ । ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ଭାଗ ହେଉଛି ଓଡିଶା ସ୍କିଲ କନକ୍ଲେଭ୍ । ଏଥିରେ ଏସଏଚଜି ମହିଳା ବି ସାମିଲ ହେବେ। ଆଜି ଉଦଘାଟନୀ ଦିବସରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା ୮ରୁ ୧୦ ଜଣ ମହିଳା ଡ୍ରାଇଭର୍ସଙ୍କୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ ।
ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ସକାଳ ୬ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯିବ । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ । ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ସହ ଗ୍ଲୋବାଲ ପାର୍ଟନର୍ ଭାବେ ସିଙ୍ଗାପୁରର ଆଇଟିଇଇଏସ ସହ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି । ସ୍କିଲ କନକ୍ଲେଭ ପାଇଁ ସିଙ୍ଗାପୁରର ଏହି ଅନୁଷ୍ଠାନର ୨୫ ଜଣ ଦକ୍ଷ ପିଲା ଏହି କନକ୍ଲେଭରେ ଯୋଗଦେବେ । ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଶେଷଦିନ ଡ୍ରୋନ୍ ଫେଡେରସନ୍ ଅଫ୍ ଇଣ୍ଡିଆ ଓ ବିଭିନ୍ନ ଦକ୍ଷତା ବିକାଶ ପରିଷଦର କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।