Site icon ଆଜିକାଲି

ଶିମିଳିପାଳରେ ହାତୀକୁ ପୋଡିବା ମାମଲାରେ ନିଲମ୍ବିତ ତିନି ବନ କର୍ମଚାରୀ ଗିରଫ

ବାରିପଦା : ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ମାମଲାରେ ତିନି ବନ କର୍ମଚାରୀଙ୍କୁ ଗିରଫ କରିଛି ବନବିଭାଗ । ପୂର୍ବରୁ ସେମାନଙ୍କୁ ନିଲମ୍ବନ କରିଥିଲା ବନବିଭାଗ । ଏହି ମାମଲାର ଶୁଣାଣି ବେଳେ ସଂପୃକ୍ତ ବନ କର୍ମଚାରୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ହାଇକୋର୍ଟ । ଏହି ମାମଲାରେ ପିସିସିଏଫ ଓ ଜେଟିଏଫଙ୍କୁ ଭର୍ତ୍ସନା କରିଥିଲେ ହାଇକୋର୍ଟ । ତିନି ନିଲମ୍ବିତ କର୍ମଚାରୀଙ୍କ ବିରୋଧରେ କାହିଁକି ଏତଲା ହୋଇନି ବୋଲି ପ୍ରଶ୍ନ କରିଥିଲେ ହାଇକୋର୍ଟ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଶୁଣାଣି ବେଳେ ହାତୀକୁ ବନ କର୍ମଚାରୀ ମାରିଥିବା ସ୍ବୀକାର କରିଥିଲେ ପିସିସିଏଫ ।

କିଛି ଦିନ ତଳେ ଏକ ଦନ୍ତାହାତୀକୁ ମାରି ଶିକାରୀମାନେ ଦାନ୍ତ କାଟି ନେଇଥିଲେ । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରି ବନ କର୍ମଚାରୀମାନେ ମଲାହାତୀକୁ ପୋଡ଼ି ଦେହାବଶେଷକୁ ନଦୀରେ ଭସାଇ ଦେଇଥିବା ଶିମିଳିପାଳ ବନବାସୀ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବକୁଆ ଗ୍ରାମବାସୀଙ୍କ ସୂଚନା ମୁତାବକ, ଜେନାବିଲ ରେଞ୍ଜରେ ଗତ ୭ ତାରିଖରେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିଲା। କିଛି ବନ କର୍ମଚାରୀ ନିଜ ଦୋଷକୁ ଲୁଚାଇବା ପାଇଁ ହାତୀର ମୃତଦେହକୁ ଗାଏବ କରିଦେବାକୁ ଯୋଜନା କରିଥିଲେ। ସେମାନେ ପ୍ରଥମେ ମୃତଦେହକୁ କୌଣସି ପ୍ରକାରେ ପୋଡ଼ି ଦେଇଥିଲେ। ବାକି ଯାହା ହାଡ଼ ଓ ଦେହାବଶେଷ ରହିଥିଲା, ତାକୁ ନେଇ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଏ ନେଇ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

Exit mobile version