Site icon ଆଜିକାଲି

ବାରବାଟୀରେ ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ପାଇଁ ଆଜିଠୁ ଅନଲାଇନରେ ଟିକଟ ବିକ୍ରି

କଟକ : ଆସନ୍ତା ଜାନୁଆରୀ ୧୧ରେ କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ସେଥିନିମନ୍ତେ ଆଜିଠୁ ଅନଲାଇନରେ ବିକ୍ରି ହେବ ଟିକଟ । ଅନଲାଇନ୍‍ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ଟିକଟ ଉପଲବ୍ଧ ରହିବ। ଆଜି ଦିନ ୧୨ଟା ଠାରୁ ଦର୍ଶକମାନେ ଏହି ଟିକଟ କିଣିପାରିବେ। ଟିକଟ ଦାମ୍ ୨୫୦ରୁ ୫୦୦ ଟଙ୍କା ରଖାଯାଇଛି ।

ଲଗାତର ଦ୍ୱିତୀୟ ଥର ନିମନ୍ତେ ଓଡ଼ିଶାରେ ହକି ବିଶ୍ୱକପ୍‍ ଆୟୋଜନ ହେବାକୁ ଯାଉଛି। ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଦେଶର ଗୌରବ ଉଦ୍‍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ। ହକି ବିଶ୍ୱକପ୍‍ର ଖେଳ ଭୁବନେଶ୍ୱର ଓ ରାଉରକେଲାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିଲାବେଳେ ଏହାର ଦୁଇ ଦିନ ଆଗରୁ ଅର୍ଥାତ୍‍ ଜାନୁଆରୀ ୧୧ରେ ଉଦ୍‍ଘାଟନୀ ଉତ୍ସବ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ। ଏହି ଉତ୍ସବରେ ନୃତ୍ୟ, ସଙ୍ଗୀତ, ସଂସ୍କୃତି ଓ ବୈଷୟିକ ଜ୍ଞାନ କୌଶଳର ମିଶ୍ରଣରେ ଏହା ପ୍ରତିଫଳିତ ହେବ। ଓଡ଼ିଆ କଳାକାରଙ୍କ ସମେତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସେଲିବ୍ରିଟି ଯୋଗ ଦେବେ। ଭାରତୀୟ ଏବଂ ୧୫ଟି ଦେଶରୁ ଆସିଥିବା ବିଦେଶୀ ଅତିଥିମାନେ ଉଦ୍‍ଘାଟନୀ ଉତ୍ସବରେ ହକି ଖେଳର ଉତ୍ସାହକୁ ମିଳିମିଶି ପାଳନ କରିବେ’ ବୋଲି ହକି ଇଣ୍ଡିଆ ସଭାପତି ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରେସବିବୃତ୍ତି ମାଧ୍ୟମରେ କହିଛନ୍ତି।

Exit mobile version