Site icon ଆଜିକାଲି

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ

ପୁରୀ : ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ଗତକାଲି ପୂର୍ବାହ୍ନ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଛନ୍ତି। ମଙ୍ଗଳବାର ଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗତକାଲି ଶରଧାବାଲିରେ ବିଜେ କରିଛନ୍ତି। ତିନିରଥ ଶରଧାବାଲିରେ ବିଜେ ପରେ ରଥ ଉପରେଦୈନନ୍ଦିନ ନୀତିକାନ୍ତି ସଂପନ୍ନ ହୋଇଛି। ତେବେ, ରଥଟଣା ଦିନ ଆଡ଼ପ ପହଣ୍ଡି ପରମ୍ପରା ବିରୋଧୀ ଥିବାରୁ ଆଜି ଅପରାହ୍ନରେ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ପହଣ୍ଡି କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ ବା ଜନ୍ମବେଦୀକୁ ବିଜେ କରିବେ।

ମଙ୍ଗଳବାର ଦିନ ରଥଟଣାରେ ବିଳମ୍ବ ଯୋଗୁ ନନ୍ଦିଘୋଷ ଓ ଦର୍ପଦଳନ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ସନ୍ଧ୍ୟା ପୂର୍ବରୁ ପହଞ୍ଚି ପାରି ନଥିଲେ। ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ରାତି ୭ଟା ୪୫ରେ ଶରଧାବାଲିରେ ପହଞ୍ଚିଥିଲେ ରାତି ଯୋଗୁଁ ନନ୍ଦିଘୋଷ ରଥ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ପାଖରେ ଏବଂ ଦେବୀ ସୁଭଦ୍ରାଙ୍କ ରଥ ବଡ଼ଶଙ୍ଖଠାରେ ଅଟକି ରହିଥିଲେ। ବୁଧବାର ସକାଳୁ ରଥ ଉପରେ ମଙ୍ଗଳ ଆଳତି ସହ ତଡ଼ପଲାଗି, ଅବକାଶ ପୂଜା ଓ ବେଶ ଶେଷ ପରେ ସକାଳ ପ୍ରାୟ ୯ଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ଦର୍ପଦଳନ ଓ ପରେ ନନ୍ଦିଘୋଷ ରଥ ଟଣାଯାଇଥିଲା। ହଜାରହଜାର ସଂଖ୍ୟାରେ ଭକ୍ତ ଏକାଠି ହୋଇ ଦୁଇରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରକୁ ଟାଣି ନେଇଥିଲେ। ତେବେ ରଥ ଉପରେ ଶ୍ରୀଜୀଉମାନଙ୍କର ନୀତିରେ ଅହେତୁକ ବିଳମ୍ବ ଯୋଗୁଁ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Exit mobile version