Site icon ଆଜିକାଲି

ଆଜି ଅନୁଗୁଳ ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କରିବେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

ଅନୁଗୁଳ : ଆଜି ଅନୁଗୁଳ ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମହିଳାଙ୍କୁ ଭେଟିବା ସହ ୨୪୨ କୋଟି ଟଙ୍କା ଋଣର ଡିଜିଟାଲ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ବହୁ ପ୍ରତୀକ୍ଷିତ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଅନୁଗୋଳ ଷ୍ଟାଡିୟମରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଅନୁଗୋଳ ଓ ବଅଁରପାଳ ବ୍ଲକ ପାଇଁ ଦୁଇଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ପାଇଁ ୩୫୮କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ୨୪ମାସ ଭିତରେ ଦୁଇଟି ଯାକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇଟି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଅନୁଗୋଳ ବ୍ଲକ ଅଧୀନରେ ଥିବା ୩୪ଟି ପଞ୍ଚାୟତର ୨୭୭ଟି ଗାଁର ୧ଲକ୍ଷ ୬୬ ହଜାର ଲୋକ ଏବଂ ବଅଁରପାଳ ବ୍ଲକର ୧୩ ଟି ପଞ୍ଚାୟତର ୫୨ଟି ଗାଁର ୭୦ହଜାର ଲୋକ ଉପକୃତ ହେବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଅନୁଗୋଳରେ ବ୍ୟାପକ ଆୟୋଜନ କରାଯାଇଛି। ବ୍ୟାନର ପୋଷ୍ଟର ଓ ବଡ଼ ବଡ଼ କଟାଉଟ୍ ରେ ଭରିଯାଇଛି ସାରା ସହର। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ହୋଇ ଉଠିଛି ଅନୁଗୋଳ ବିଜେଡି କ୍ୟାମ୍ପ ।

Exit mobile version