Site icon ଆଜିକାଲି

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ଜଳରେ ସ୍ନାନ କରିବେ ଶ୍ରୀଜିଉ

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେଇଛି ପ୍ରଶାସନ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି, ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରବିବାର ସ୍ନାନ ବେଦୀରେ ପ୍ରତ୍ୟେକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଦେଖିବା ସହ ସାନିଧ୍ୟ ଲାଭ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଜଣ କମାଡାଣ୍ଟ, ୧୨ ଅତିରିକ୍ତ ଏସପି, ୨୨ ଡିଏସପି, ୫୯ ଇନ୍ସପେକ୍ଟର, ୨୯୧ ସବ୍ ଇନ୍ସପେକ୍ଟର, ୩୩୧ କନଷ୍ଟେବଳ ସହ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସିସିଟିଭି ସ୍ଥାପନ କରାଯାଇ ଏକ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି।

ତେବେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସାମିଆନା ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ମହାପ୍ରଭୁଙ୍କ ପରମାଣିକ ଟିକେଟ ଧାରୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ।

ସ୍ନାନ ଯାତ୍ରା ପାଇଁ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସହ ବିଶେଷ କରି ବେଳାଭୂମିରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପାର୍କିଂର ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିଛି ପ୍ରଶାସନ।

Exit mobile version