Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ : ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଗଜ କୁ ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ଗଜରାଜ ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ତତ୍‌କ୍ଷଣାତ ଭକ୍ତଗଜଙ୍କୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ । ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି ।

ଗଜଉଦ୍ଧାରଣ ବେଶରେ ତିନି ଠାକୁରଙ୍କ ମଥାରେ ଚୂଳ ଓ କିରୀଟ, ସୁବର୍ଣ୍ଣ ନିର୍ମିତ ପଦ୍ମମାଳି, କଦମ୍ବ ମାଳି ପ୍ରଭୃତିରେ ଭୁଷିତ ହୋଇଥିଲେ। ଏହି ବେଶ ସମୟତକ ରତ୍ନ ସିଂହାସନରେ ଶୋଭା ପାଉଥିବା ଲକ୍ଷ୍ମୀଙ୍କର ସୁବର୍ଣ୍ଣପ୍ରତିମାଙ୍କୁ ଜଗନ୍ନାଥଙ୍କ କୋଳରେ ରଖାଯାଇଥିଲା । ଏହିବେଶରେ କ୍ଷୀରି ଓ ଅମାଲୁ ସ୍ୱତନ୍ତ୍ର ଭୋଗ ରୂପେ ଅର୍ପିତ ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ବଢି ଦୈନନ୍ଦିନ ସେବା କାର୍ଯ୍ୟ ସମ୍ପାଦିତ ହୋଇଥାଏ।

Exit mobile version