Site icon ଆଜିକାଲି

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ

ପୁରୀ : ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ। ପହଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଡି ଭୋରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ । ବିରି, ଗହମରେ ପ୍ରସ୍ତୃତ ୩୨ ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯାଏ।

ଏହି ମାସ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ରହିଛି। ମହାପ୍ରଭୁଙ୍କ ପାଇଁ ମାସକ ଯାକ ମାତା ଯଶୋଦା ପହିଲି ଭୋଗ ପ୍ରସ୍ତୁତ କରିବେ। ଏହି ସମୟରେ କୁଆ କା ନ କହିବା ପୂର୍ବରୁ ବ୍ୟଞ୍ଜନ ଭୋଗ କରାଯାଇଥାଏ । ବିଶେଷ ଭାବେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଏଥିରେ ରହିବ। ବଡ଼ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକେରା, ଲଡ଼ୁ ଗଜା ପ୍ରଭୃତି ରହିଛି। ପ୍ରତିଦିନ ଅବକାଶ ଓ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲଗାଯିବ। ମହାପ୍ରଭୁଙ୍କୁ ଏହି ମାସକ ଯାକ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଅର୍ଥାତ୍ ଆଜି ରାତ୍ର ୨ଟାରୁ ଦ୍ୱାର ଫିଟା ହେବା ସହ ୫ଟା ୨୦ ରୁ ୬ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି ହୋଇଛି । ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି । ଗୋପାଳବଲ୍ଲଭ ପରେ ପହିଲି ଭୋଗ ସମ୍ପନ୍ନ ହୋଇଛି । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି । କଥିତ ଅଛି ଯେ ଆଜିଠାରୁ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା’ ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି ।

FacebookTwitterLinkedinWhatsapp
Exit mobile version