Site icon ଆଜିକାଲି

ଆଜି ପବିତ୍ର କୁମାର ପୂର୍ଣ୍ଣିମା, ସନ୍ଧ୍ୟାରେ ଚାନ୍ଦ ପୂଜା

ଭୁବନେଶ୍ୱର : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ ଆନନ୍ଦର ସହ ଏହାକୁ ପାଳନ କରିଥାଆନ୍ତି। ଏନେଇ ଗାଁଠୁ ନେଇ ସହର ଚାରିଆଡେ ଉତ୍ସବମୁଖର । କୁମାରୀ ମାନଙ୍କର ଏହା ହେଉଛି ଏକ ବଡ ପର୍ବ । କୁହାଯାଏ ଭଲ ବରଟିଏ ପାଇବା ପାଇଁ କୁମାରୀ ମାନେ ଏହି ଓଷା କରିଥାନ୍ତି ।

କୁମାରୀ ଝିଅମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ନୂଆ ପୋଷାକ ପରିଧାନ କରିଛନ୍ତି । ଏହା ପରେ ତୁଳସୀ ଚଉରା ମୂଳରେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି । ଗୁଆ, ଲିଆ, ବିଭିନ୍ନ ପ୍ରକାର କଞ୍ଚା ଓ ପାଚିଲା ଫଳ ଏବଂ ନଡ଼ିଆରେ ମା’ ବୃନ୍ଦାବତୀଙ୍କ ଆଗରେ ସାତ ଥର ଆଞ୍ଜୁଳି ଟେକି ମାନସିକ କରିଛନ୍ତି । ଏକ କୁଲାରେ ଖଇ ଓ ସାତ ପ୍ରକାରର ଫଳ ନେଇ ଚଉରା ମୂଳରେ ବିଧିସହ ପୂଜାର୍ଚ୍ଚନା କରନ୍ତି। କୁଆଁର ପୁନେଇଁ ଜହ୍ନ ଗୋ…ଫୁଲ ବଉଳ ବେଣୀ… । କୁମାର ପୂର୍ଣ୍ଣିମା ଅବସରରେ ଏମିତି ଗୀତ ଗାଇ ରବିବାର ସକାଳୁ ସକାଳୁ କୁମାରୀ ଝିଅମାନେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି ।

ଏହାସହ ସନ୍ଧ୍ୟାରେ ସେହିପରି ସନ୍ଧ୍ୟାରେ ଆଞ୍ଜୁଳି ଟେକିଥିବା ଲିଆ ଓ ଫଳରେ ଚାନ୍ଦ ତିଆରି କରି ବୃନ୍ଦାବତୀଙ୍କ ପାଖରେ ଭୋଗ କରିବେ । ଆକାଶରେ ଚନ୍ଦ୍ର ଆସିବା ପରେ କୁମାରୀ କନ୍ୟାମାନେ ପୂଜା କରନ୍ତି। ବିଭିନ୍ନ ପ୍ରକାରର ଫଳ, ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ଆଖୁ ଆଦିକୁ ଚକଟା ଭୋଗ କରି ଚନ୍ଦ୍ର ଆକୃତିର କରି ପୂଜା କରିବା ପରେ ଏହାକୁ ନିଜ ସାଙ୍ଗମାନଙ୍କୁ ଖୁଆନ୍ତି। ସେହିପରି ଆଜି ଠାରୁ ପ୍ରସିଦ୍ଧ ମା’ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି। ତେବେ ଏଥର କରୋନା ପାଇଁ ଫିକା ପଡିଛି ମାଆଙ୍କ ପୂଜା ।

Exit mobile version